ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 19
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 19 ନଭେମ୍ବର 2026
ଗୁରୁବାର · ସାଧାରଣ କାଳର 33ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 33ତମ ସପ୍ତାହର ଗୁରୁବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
1ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। 2ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? 3କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। 4ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। 5ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। 6ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା। 7ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। 8ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା। 9ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ, 10ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”
ପ୍ରତିଉତ୍ତର ଗୀତ
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର। 2ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ; ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ। 3ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ; ସେମାନେ ଦାରା ଓ ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ। 4କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି; ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। 5ଭକ୍ତଗଣ ବିଜୟରେ ଉଲ୍ଲସିତ ହେଉନ୍ତୁ; ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ। ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ; 6ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ। 9ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ, ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ସୁସମାଚାର
41ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, 42“ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି। 43ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ, 44ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର