ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 12
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 12 ନଭେମ୍ବର 2026
ଗୁରୁବାର · ସାଧାରଣ କାଳର 32ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 32ତମ ସପ୍ତାହର ଗୁରୁବାର
ସ୍ମୃତି ଦିବସ · ଉପାସନାର ରଙ୍ଗ: ନାଲି
ସନ୍ଥ ଜୋସାଫାଟ୍, ଧର୍ମାଧ୍ୟକ୍ଷ ଓ ଶହୀଦ · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
7କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି। 8ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି, 9ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ, 10ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି: 11ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି, 12ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି। 13ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା, 14କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ। 15କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; 16ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ। 17ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର। 18ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ; 19ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ। 20ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।
ପ୍ରତିଉତ୍ତର ଗୀତ
7ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି। 8ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। 9ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି। 10ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ସୁସମାଚାର
20ଈଶ୍ବରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କ ରାଜ୍ୟ ଦୃଶ୍ୟ ଭାବରେ ଆସେ ନାହିଁ; 21କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି।” 22କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, “ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ। 23ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ। 24କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର ଆପଣା ଦିନରେ ସେହିପରି ହେବେ। 25ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ।
ଆଜିର ସନ୍ଥ
- ସନ୍ଥ ଜୋସାଫାଟ୍, ଧର୍ମାଧ୍ୟକ୍ଷ ଓ ଶହୀଦ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର