ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 7
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 7 ନଭେମ୍ବର 2026
ଶନିବାର · ସାଧାରଣ କାଳର 31ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 31ତମ ସପ୍ତାହର ଶନିବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ
ଶନିବାରରେ ଧନ୍ୟା କୁମାରୀ ମରୀୟମଙ୍କ ସ୍ମୃତି ଦିବସ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
10ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା। 11ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। 12ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। 13ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। 14ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ। 15ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ। 16କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ। 17ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ। 18ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। 19ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ।
ପ୍ରତିଉତ୍ତର ଗୀତ
1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ଯେଉଁ ଜନ ସଦାପ୍ରଭୁଙ୍କୁ ଭୟ କରେ, ଯେ ତାହାଙ୍କ ଆଜ୍ଞାସବୁରେ ଅତିଶୟ ସନ୍ତୁଷ୍ଟ ହୁଏ, ସେ ଧନ୍ୟ। 2ତାହାର ବଂଶ ପୃଥିବୀରେ ବିକ୍ରମଶାଳୀ ହେବେ ସରଳ ଲୋକର ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। 5ଯେଉଁ ଜନ କୃପା କରେ ଓ ଋଣ ଦିଏ, ତାହାର ମଙ୍ଗଳ ହୁଏ; ସେ ସୁବିଚାରରେ ଆପଣା କଥା ନିଷ୍ପନ୍ନ କରିବ। 6କାରଣ ସେ କଦାପି ବିଚଳିତ ନୋହିବ; ଧାର୍ମିକ ଲୋକ ଅନନ୍ତକାଳ ସ୍ମରଣରେ ରହିବ। 8ସେ ଆପଣା ବିପକ୍ଷଗଣ ଉପରେ ନିଜ ବାଞ୍ଛାର ସିଦ୍ଧି ଦେଖିବା ପର୍ଯ୍ୟନ୍ତ, ତାହାର ଚିତ୍ତ ସୁସ୍ଥିର ଥାଏ, ସେ ଭୀତ ହେବ ନାହିଁ। 9ସେ ବିତରଣ କରିଅଛି, ସେ ଦୀନହୀନମାନଙ୍କୁ ଦାନ କରିଅଛି; ତାହାର ଧର୍ମ ସଦାକାଳସ୍ଥାୟୀ; ସମ୍ଭ୍ରମରେ ତାହାର ଶୃଙ୍ଗ ଉନ୍ନତ ହେବ।
ସୁସମାଚାର
9ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ। 10ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ। 11ଅତଏବ, ଯଦି ତୁମ୍ଭେମାନେ ଅଧର୍ମ ଧନରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ବିଶ୍ୱାସ କରି ସତ୍ୟ ଧନ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବ? 12ଆଉ, ଯଦି ତୁମ୍ଭେମାନେ ପରର ବିଷୟରେ ବିଶ୍ୱସ୍ତ ହୋଇ ନାହଁ, ତେବେ କିଏ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ନିଜ ବିଷୟ ଦେବ? 13କୌଣସି ଦାସ ଦୁଇ ପ୍ରଭୁଙ୍କର ସେବା କରିପାରିବ ନାହିଁ; କାରଣ ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣକ ପ୍ରତି ଆସକ୍ତ ହେବ ଓ ଅନ୍ୟ ଜଣକୁ ତୁଚ୍ଛ କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାରିବ ନାହିଁ।” 14ଏହିସବୁ କଥା ଶୁଣି ଧନଲୋଭୀ ଫାରୂଶୀମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। 15ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର