ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 3
ଅର୍ଥୋଡକ୍ସ ପଞ୍ଜିକା · 21 ଅକ୍ଟୋବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 3 ନଭେମ୍ବର 2026
ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 23ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Venerable Hilarion the Great († 371-372)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
6ପୁଣି, ତୁମ୍ଭେମାନେ ବହୁ କ୍ଲେଶ ଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ, 7ଯେପରିକି ତୁମ୍ଭେମାନେ ମାକିଦନିଆ ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶ ସ୍ୱରୂପ ହୋଇଥିଲ। 8କାରଣ ତୁମ୍ଭମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ପ୍ରଚାରିତ ହୋଇଅଛି, ତାହା ନୁହେଁ, ମାତ୍ର ଈଶ୍ବରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ, ସେ ସମ୍ବନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ। 9ଯେଣୁ ଲୋକମାନେ ନିଜେ ନିଜେ ଆମ୍ଭମାନଙ୍କ ସମ୍ବନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ବରଙ୍କର ସେବା କରିବା ନିମନ୍ତେ, 10ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।
ପତ୍ର (ବୁଧବାର ପାଇଁ)
1ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବୃଥା ହୋଇ ନାହିଁ। 2ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣ ଈଶ୍ବରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ବରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ। 3କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା, 4କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ବରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ବର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ। 5ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ବର ଏଥିର ସାକ୍ଷୀ। 6ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରିପାରିଥାଆନ୍ତୁ, ତଥାପି ତୁମ୍ଭମାନଙ୍କଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ। 7କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ, 8ସେହି ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ପ୍ରାଣ ଦେବାକୁ ସୁଧା ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟପାତ୍ର ହୋଇଥିଲ।
ପତ୍ର (ସନ୍ଥ ମହାନ ହିଲାରିୟନ୍ଙ୍କ ପାଇଁ)
6କିନ୍ତୁ ଏହା ସତ୍ୟ, ଯେ ଅଳ୍ପ ବୁଣେ, ସେ ମଧ୍ୟ ଅଳ୍ପ କାଟିବ; ଆଉ ଯେ ପ୍ରଚୁର ବୁଣେ, ସେ ମଧ୍ୟ ପ୍ରଚୁର କାଟିବ। 7ପ୍ରତ୍ୟେକ ଜଣ ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି, ସେହିପରି କରୁ, କୁଣ୍ଠିତ ଭାବରେ ନୁହେଁ ଅବା ବାଧ୍ୟବାଧକତା ହେତୁରୁ ନୁହେଁ; କାରଣ ଈଶ୍ବର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି। 8ଆଉ, ସମସ୍ତ ବିଷୟ ସର୍ବଦା ଯଥେଷ୍ଟ ରୂପେ ପାଇ ତୁମ୍ଭେମାନେ ଯେପରି ସମସ୍ତ ଉତ୍ତମ କର୍ମ ନିମନ୍ତେ ଅଧିକରୁ ଅଧିକତର ଦାନ କରିପାର, ଏଥିନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ସର୍ବ ପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି, 9ଯେପରି ଶାସ୍ତ୍ରରେ ଲେଖାଅଛି, “ସେ ମୁକ୍ତ ହସ୍ତରେ ବିତରଣ କରିଅଛି, ସେ ଦରିଦ୍ରମାନଙ୍କୁ ଦାନ ଦେଇଅଛି, ତାହାର ଧାର୍ମିକତା ଅନନ୍ତକାଳସ୍ଥାୟୀ।” 10ଆଉ, ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି, ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫଳ ବୃଦ୍ଧି କରିବେ; 11ଏହିପରି ତୁମ୍ଭେମାନେ ସବୁ ବିଷୟରେ ଧନୀ ହୋଇ ସର୍ବ ପ୍ରକାର ବଦାନ୍ୟତା ଦେଖାଇପାରିବ, ଆଉ ତାହା ଆମ୍ଭମାନଙ୍କ ଦ୍ୱାରା ଈଶ୍ବରଙ୍କ ଧନ୍ୟବାଦର କାରଣ ହେବ।
ସୁସମାଚାର
23ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। 24କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। 25ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ? 26ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ। 27କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
ସୁସମାଚାର (ବୁଧବାର ପାଇଁ)
44“ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।” 45କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ। 46ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା। 47କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ, 48“ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।” 49ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ। 50କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 21 ନାଗରିକ ପଞ୍ଜିକାର ନଭେମ୍ବର 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର