Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 25

ଅର୍ଥୋଡକ୍ସ ପଞ୍ଜିକା · 12 ଅକ୍ଟୋବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 25 ଅକ୍ଟୋବର 2026

ରବିବାର · ସ୍ୱର 4

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ପରେ 21ତମ ରବିବାର

ସପ୍ତମ ବିଶ୍ୱବ୍ୟାପୀ ମହାସଭାର ପିତୃଗଣ

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 14:14–20

14ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନି ଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍ ନଗର ପର୍ଯ୍ୟନ୍ତ ଗଲେ। 15ଏଥିଉତ୍ତାରେ ସେ ଆପଣା ଦାସମାନଙ୍କୁ ଦୁଇ ଦଳ କରି ରାତ୍ରିକାଳରେ ଶତ୍ରୁମାନଙ୍କୁ ଆକ୍ରମଣ କଲେ, ପୁଣି, ଦମ୍ମେଶକର ଉତ୍ତରସ୍ଥିତ ହୋବା ପର୍ଯ୍ୟନ୍ତ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ। 16ଆଉ, ସବୁ ସମ୍ପତ୍ତି ଓ ଆପଣାର ଜ୍ଞାତି ଲୋଟ ଓ ତାଙ୍କର ସମ୍ପତ୍ତି, ପୁଣି, ସ୍ତ୍ରୀଗଣ ଓ ଲୋକସମୂହକୁ ବାହୁଡ଼ାଇ ଆଣିଲେ। 17ଏହିରୂପେ ଅବ୍ରାମ କଦର୍ଲାୟୋମରକୁ ଓ ତାଙ୍କର ସହାୟ ରାଜାଗଣକୁ ଜୟ କରି ବାହୁଡ଼ିଲା ଉତ୍ତାରେ, ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍‍, ରାଜାର ପଦାକୁ ଗମନ କଲେ। 18ପୁଣି, ଶାଲେମ୍‍ର ରାଜା ମଲ୍‍କୀଷେଦକ ରୁଟି ଓ ଦ୍ରାକ୍ଷାରସ ଘେନି ଆସିଲେ; ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଯାଜକ; 19ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ-ପାତ୍ର ହେଉନ୍ତୁ; 20ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ସେତେବେଳେ (ଅବ୍ରାମ) ସବୁ ଦ୍ରବ୍ୟର ଦଶମାଂଶ ତାଙ୍କୁ ଦେଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଦ୍ବି.ବି 1:8–11, 15–17

8ଦେଖ, ଆମ୍ଭେ ତୁମ୍ଭମାନଙ୍କ ଆଗରେ ଏହି ଦେଶ ସମର୍ପଣ କରିଅଛୁ; ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‌ହାକକୁ ଓ ଯାକୁବକୁ ଓ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଥିଲେ, ତୁମ୍ଭେମାନେ ସେହି ଦେଶକୁ ଯାଇ ତାହା ଅଧିକାର କର।’” 9ପୁଣି ସେସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, “ମୁଁ ଏକାକୀ ତୁମ୍ଭମାନଙ୍କ ଭାର ବହିବାକୁ ଅସମର୍ଥ; 10ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବୃଦ୍ଧି କରିଅଛନ୍ତି, ଏଣୁ ଦେଖ, ତୁମ୍ଭେମାନେ ଆଜି ଆକାଶର ତାରାଗଣ ତୁଲ୍ୟ ବହୁସଂଖ୍ୟକ ହୋଇଅଛ। 11ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କୁ ତହିଁର ସହସ୍ର ଗୁଣ କରନ୍ତୁ ଓ ସେ ଯେରୂପ ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ତଦ୍ରୂପ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। 15ତହୁଁ ମୁଁ ତୁମ୍ଭମାନଙ୍କ ବଂଶ ଅନୁସାରେ ପ୍ରଧାନ, ଜ୍ଞାନୀ ଓ ବିଖ୍ୟାତ ଲୋକମାନଙ୍କୁ ନେଇ ତୁମ୍ଭମାନଙ୍କ ବଂଶାନୁସାରେ ତୁମ୍ଭମାନଙ୍କ ଉପରେ ପ୍ରଧାନ, ସହସ୍ରପତି, ଶତପତି, ପଚାଶପତି, ଦଶପତି ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲି। 16ପୁଣି ମୁଁ ସେସମୟରେ ତୁମ୍ଭମାନଙ୍କର ବିଚାରକର୍ତ୍ତୃଗଣକୁ ଆଜ୍ଞା ଦେଇ କହିଲି, “ତୁମ୍ଭେମାନେ ଆପଣା ଆପଣା ଭାଇମାନଙ୍କ ମଧ୍ୟରେ ବିବାଦ ଶୁଣ, ପୁଣି ମନୁଷ୍ୟ ଓ ତାହାର ଭାଇ ଓ ତାହାର ସହବାସୀ ବିଦେଶୀ ମଧ୍ୟରେ ଯଥାର୍ଥ ବିଚାର କର। 17ତୁମ୍ଭେମାନେ ବିଚାରରେ କାହାରି ମୁଖାପେକ୍ଷା କରିବ ନାହିଁ; ତୁମ୍ଭେମାନେ ସାନ ଓ ବଡ଼ ଲୋକର କଥା ସମଭାବରେ ଶୁଣିବ; ତୁମ୍ଭେମାନେ ମନୁଷ୍ୟର ମୁଖକୁ ଭୟ କରିବ ନାହିଁ; କାରଣ ବିଚାର ପରମେଶ୍ୱରଙ୍କର ଅଟେ; ପୁଣି ଯେଉଁ କଥା ତୁମ୍ଭମାନଙ୍କ ପ୍ରତି କଠିନ ହୁଏ, ତାହା ତୁମ୍ଭେମାନେ ମୋʼ ନିକଟକୁ ଆଣିବ, ମୁଁ ତାହା ଶୁଣିବି।”

ସନ୍ଧ୍ୟା ପ୍ରାର୍ଥନା: ପାଠ

ଦ୍ବି.ବି 10:14–21

14ଦେଖ, ଆକାଶମଣ୍ଡଳ ଓ ତହିଁ ଉପରିସ୍ଥ ସ୍ୱର୍ଗ, ପୁଣି ପୃଥିବୀ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅଟେ। 15କେବଳ ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିବାରୁ ସେମାନଙ୍କ ଉତ୍ତାରେ ସେମାନଙ୍କ ବଂଶ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆଜି ଦିନ ପରି ସେ ସର୍ବଗୋଷ୍ଠୀୟ ଲୋକମାନଙ୍କଠାରୁ ମନୋନୀତ କଲେ। 16ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ। 17କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ, ପ୍ରଭୁମାନଙ୍କର ପ୍ରଭୁ, ମହାନ, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର ଅଟନ୍ତି, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ। 18ସେ ପିତୃହୀନ, ବିଧବାର ବିଚାର ନିଷ୍ପତ୍ତି କରନ୍ତି ଓ ବିଦେଶୀକୁ ଅନ୍ନ ଓ ବସ୍ତ୍ର ଦେଇ ପ୍ରେମ କରନ୍ତି। 19ଏଥିପାଇଁ ତୁମ୍ଭେମାନେ ବିଦେଶୀକୁ ପ୍ରେମ କର, କାରଣ ତୁମ୍ଭେମାନେ ମିସର ଦେଶରେ ବିଦେଶୀ ଥିଲ। 20ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ତାହାଙ୍କର ତୁମ୍ଭେ ସେବା କରିବ ଓ ତାହାଙ୍କଠାରେ ତୁମ୍ଭେ ଆସକ୍ତ ହେବ, ପୁଣି ତାହାଙ୍କ ନାମରେ ତୁମ୍ଭେ ଶପଥ କରିବ। 21ସେ ତୁମ୍ଭର ପ୍ରଶଂସାର ଯୋଗ୍ୟ, ପୁଣି ସେ ତୁମ୍ଭର ପରମେଶ୍ୱର ଅଟନ୍ତି, ତୁମ୍ଭର ଚକ୍ଷୁ ଯାହା ଯାହା ଦେଖିଅଛି, ସେହି ସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ନିମନ୍ତେ କରିଅଛନ୍ତି।

ପ୍ରଭାତୀ ପ୍ରାର୍ଥନାର ଦଶମ ସୁସମାଚାର

ଯୋହ 21:1–14

1ଏଥିଉତ୍ତାରେ ଯୀଶୁ ତିବିରୀୟା ହ୍ରଦର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାରେ ଦର୍ଶନ ଦେଲେ; 2ଶିମୋନ ପିତର, ଥୋମା, ଯାହାଙ୍କୁ ଦିଦୁମ କହନ୍ତି, ଗାଲିଲୀର କାନ୍ନାନିବାସୀ ନିଥନିୟେଲ, ଜେବଦୀଙ୍କ ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଦୁଇ ଜଣ ଏକତ୍ର ଥିଲେ। 3ଶିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସାଙ୍ଗରେ ଯିବୁ। ସେମାନେ ବାହାରିଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତିରେ କିଛି ଧରି ପାରିଲେ ନାହିଁ। 4କିନ୍ତୁ ପାହାନ୍ତା ହେଲା ଉତ୍ତାରେ ଯୀଶୁ କୂଳରେ ଠିଆ ହେଲେ; ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ। 5ଯୀଶୁ ସେମାନଙ୍କୁ କହିଲେ, “ପିଲାମାନେ ତୁମ୍ଭମାନଙ୍କ ପାଖରେ କଅଣ କିଛି ଖାଇବାର ଅଛି?” ସେମାନେ ତାହାଙ୍କୁ ଉତ୍ତର ଦେଲେ, ନାହିଁ। 6ସେ ସେମାନଙ୍କୁ କହିଲେ, “ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ।” ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ, ସେମାନେ ତାହା ଟାଣି ପାରିଲେ ନାହିଁ। 7ସେଥିରେ ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ଶିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଅଙ୍ଗରଖା ନ ପିନ୍ଧି ଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁପଡ଼ିଲେ; 8କିନ୍ତୁ ଅନ୍ୟ ଶିଷ୍ୟମାନେ ନୌକାରେ ଭର୍ତ୍ତି ହୋଇଥିବା ମାଛର ଜାଲ ଟାଣି ଟାଣି ନୌକାକୁ ଆସିଲେ, କାରଣ ସେମାନେ କୂଳରୁ ଅଧିକ ଦୂରରେ ନ ଥିଲେ, କେବଳ ପ୍ରାୟ ଦୁଇ ଶହ ହାତ ଦୂରରେ ଥିଲେ। 9ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି, ତାହା ଉପରେ ଭଜା ମାଛ ଓ ରୁଟି ଥୁଆ ହୋଇଥିବା ଦେଖିଲେ। 10ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯେଉଁ ମାଛ ଧରିଅଛ, ସେଥିରୁ କିଛି ଆଣ।” 11ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ। 12ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ। 13ଯୀଶୁ ଆସି ରୁଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ। 14ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ।

ପତ୍ର

ଗାଲା 2:16–20

16ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ। 17କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ? ତାହା କେବେ ହେଁ ନ ହେଉ। 18କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି। 19ଯେଣୁ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି। 20ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋʼ ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ବରଙ୍କ ପୁତ୍ର ମୋତେ ପ୍ରେମ କରି ମୋʼ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି।

ପତ୍ର (ପିତୃଗଣଙ୍କ ପାଇଁ)

ଏବ୍ରୀ 13:7–16

7ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ ସ୍ମରଣ କର; ସେମାନଙ୍କ ଜୀବନଯାତ୍ରାର ଶେଷ ଗତି ପ୍ରତି ଦୃଷ୍ଟି ରଖି ସେମାନଙ୍କ ବିଶ୍ୱାସର ଅନୁକାରୀ ହୁଅ। 8ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଅନନ୍ତକାଳ ସମାନ ଅଟନ୍ତି। 9ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ। 10ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି। 11କାରଣ ଯେଉଁ ସବୁ ପଶୁର ରକ୍ତ ପାପାର୍ଥକ ବଳି ସ୍ୱରୂପେ ମହାଯାଜକଙ୍କ ଦ୍ୱାରା ମହାପବିତ୍ର ସ୍ଥାନକୁ ଅଣାଯାଏ, ସେହିସବୁ ପଶୁର ଶରୀର ଛାଉଣୀର ବାହାରେ ଦଗ୍ଧ ହୁଏ। 12ଏଥିସକାଶେ ଯୀଶୁ ମଧ୍ୟ ଆପଣା ରକ୍ତ ଦ୍ୱାରା ଯେପରି ଲୋକଙ୍କୁ ପବିତ୍ର କରନ୍ତି, ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁଭୋଗ କଲେ। 13ଅତଏବ, ଆସ, ଆମ୍ଭେମାନେ ତାହାଙ୍କ ପରି ନିନ୍ଦା ସହ୍ୟ କରି ଛାଉଣୀର ବାହାରେ ତାହାଙ୍କ ନିକଟକୁ ଯାଉ। 14କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଭବିଷ୍ୟତରେ ଚିରସ୍ଥାୟୀ ନଗରର ଅନ୍ୱେଷଣ କରୁଅଛୁ। 15ଏଣୁ ଆସ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍‍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ କରୁ। 16ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ବରଙ୍କର ପରମ ସନ୍ତୋଷ।

ସୁସମାଚାର

ଲୂକ 7:11–16

11ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ। 12ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ। 13ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।” 14ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।” 15ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ। 16ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।

ସୁସମାଚାର (ପିତୃଗଣଙ୍କ ପାଇଁ)

ଯୋହ 17:1–13

1ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ। 3ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। 4ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। 5ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର।” 6“ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। 7ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି। 9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି। 11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ସେହି ନାମରେ ସେମାନଙ୍କୁ ରକ୍ଷା କର ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି। 12ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ସେହି ନାମରେ ରକ୍ଷା କରି ଅାସିଅଛି ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ।” 13“କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 12 ନାଗରିକ ପଞ୍ଜିକାର ଅକ୍ଟୋବର 25। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର