Bible Explorer ଆପ୍ ପାଆନ୍ତୁ

ବାଇବେଲ › ଗୀତସଂହିତା › 4

IRV · ଅଧ୍ୟାୟ 4 / 150

ଗୀତସଂହିତା 4

1ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ମୋହର ଧର୍ମସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ; ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ।

2ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ କରିବ? [ସେଲା]

3ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ ପୃଥକ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ।

4ଭୀତ ହୁଅ ଓ ପାପ କର ନାହିଁ; ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। [ସେଲା]

5ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର।

6ଅନେକେ କହନ୍ତି, “କିଏ ଆମ୍ଭମାନଙ୍କୁ ମଙ୍ଗଳ ଦେଖାଇବ?” ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ ପ୍ରକାଶ କର।

7ତୁମ୍ଭେ ମୋʼ ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ ଅପେକ୍ଷା ଅଧିକ।

8ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ ହେ ସଦାପ୍ରଭୋ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ (IRV, 2019) · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. (ପାଠ ଅପରିବର୍ତ୍ତିତ; ପାଦଟୀକା ଓ ଶୀର୍ଷକ ବାଦ ଦିଆଯାଇଛି) · eBible.org