ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 12
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଡିସେମ୍ବର 2027
ରବିବାର · ଆଗମନ କାଳର ତୃତୀୟ ସପ୍ତାହ
ପର୍ବ ଓ ସନ୍ଥ
ଆଗମନ କାଳର ତୃତୀୟ ରବିବାର
ରବିବାର · ଉପାସନାର ରଙ୍ଗ: ଗୋଲାପୀ
ଦିନର ପାଠ
ପ୍ରଥମ ପାଠ
14ଗୋ ସିୟୋନ କନ୍ୟେ, ଗାନ କର; ହେ ଇସ୍ରାଏଲ, ଜୟଧ୍ୱନି କର; ଗୋ ଯିରୂଶାଲମ କନ୍ୟେ, ଆନନ୍ଦ କର ଓ ସର୍ବାନ୍ତଃକରଣରେ ଉଲ୍ଲାସ କର। 15ସଦାପ୍ରଭୁ ତୁମ୍ଭର ଦଣ୍ଡସବୁ ଦୂର କରିଅଛନ୍ତି, ସେ ତୁମ୍ଭର ଶତ୍ରୁକୁ ଦୂର କରିଅଛନ୍ତି; ଇସ୍ରାଏଲର ରାଜା ସଦାପ୍ରଭୁ ତୁମ୍ଭ ମଧ୍ୟବର୍ତ୍ତୀ ଅଛନ୍ତି, ତୁମ୍ଭେ ଆଉ ଅମଙ୍ଗଳର ଭୟ ପାଇବ ନାହିଁ। 16ସେହି ଦିନ ଯିରୂଶାଲମକୁ କୁହାଯିବ, ତୁମ୍ଭେ ଭୟ କର ନାହିଁ; “ହେ ସିୟୋନ, ତୁମ୍ଭର ହସ୍ତ ଶିଥିଳ ନ ହେଉ। 17ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି, ସେ ବୀର, ଯେ କି ପରିତ୍ରାଣ କରିବେ; ସେ ତୁମ୍ଭ ବିଷୟରେ ପରମ ଆନନ୍ଦ କରିବେ, ସେ ଆପଣା ସ୍ନେହଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ।
ପ୍ରତିଉତ୍ତର ଗୀତ
2ଦେଖ, “ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବାଃ ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।” 3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 5ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”
ଦ୍ୱିତୀୟ ପାଠ
4ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର। 5ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ। 6କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ। 7ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ।
ସୁସମାଚାର
10ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା? 11ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ। 12କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା? 13ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ। 14ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। 15ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ, 16ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 17ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ। 18ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର