ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 10
ଅର୍ଥୋଡକ୍ସ ପଞ୍ଜିକା · 27 ନଭେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 10 ଡିସେମ୍ବର 2027
ଶୁକ୍ରବାର · ପେଣ୍ଟିକଷ୍ଟ ପରେ 25ତମ ସପ୍ତାହ · ସ୍ୱର 7
ପର୍ବ ଓ ସନ୍ଥ
Icons of the Mother of God: “Znamenie” of Novgorod and “Znamenie”, the Kursk-Root
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ବିନା ରନ୍ଧା ଖାଦ୍ୟ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
6ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର। 7କାରଣ କିପରି ଆମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ, 8କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ; 9ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ। 10କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ। 11ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ। 12ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ। 13କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ହୁଅ ନାହିଁ। 14ଆଉ ଯଦି କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ; 15ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ। 16ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ। 17ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନସ୍ୱରୂପ, ମୁଁ ଏହିପରି ଲେଖେ। 18ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।
ସୁସମାଚାର
12ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ। 13ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର। 14କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ। 15ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ। 16ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି। 17ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ। 18ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି। 19ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ। 20ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି; 21କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି। 22ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ? 23ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି। 24ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ। 25ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି। 26‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ। 27କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’” 28ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 27 ନାଗରିକ ପଞ୍ଜିକାର ଡିସେମ୍ବର 10। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର