ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 1
ଅର୍ଥୋଡକ୍ସ ପଞ୍ଜିକା · 18 ନଭେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 1 ଡିସେମ୍ବର 2027
ବୁଧବାର · ପେଣ୍ଟିକଷ୍ଟ ପରେ 24ତମ ସପ୍ତାହ · ସ୍ୱର 6
ପର୍ବ ଓ ସନ୍ଥ
Martyr Platon of Ancyra († 302 or 306)
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ବିନା ରନ୍ଧା ଖାଦ୍ୟ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
1ଅତଏବ, ହେ ଭାଇମାନେ, ଅବଶେଷରେ କି ପ୍ରକାର ଆଚରଣ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଚିତ, ସେ ସମ୍ବନ୍ଧରେ ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେପରି ଶିକ୍ଷା ପ୍ରାପ୍ତ ହୋଇଅଛ, ଆଉ ତୁମ୍ଭେମାନେ ମଧ୍ୟ ଯେପ୍ରକାର ଆଚରଣ କରୁଅଛ, ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭମାନଙ୍କୁ ଅନୁରୋଧ କରି ଉତ୍ସାହ ଦେଉଅଛୁ। 2ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ କି କି ଆଦେଶ ଦେଇଥିଲୁ, ତାହା ତ ତୁମ୍ଭେମାନେ ଜାଣ। 3କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ବରଙ୍କ ଇଚ୍ଛା, ଅର୍ଥାତ୍, ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ, 4ଆଉ, ଯେପରି ଈଶ୍ବରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୁଦୀମାନଙ୍କ ପରି କାମାଭିଳାଷୀ ନ ହୋଇ, 5ପ୍ରତ୍ୟେକେ ପବିତ୍ର ଓ ସମାଦର ଭାବରେ ଆପଣା ଆପଣା ଶରୀରକୁ ବଶ କରିବାକୁ ଜାଣ, 6ପୁଣି, ଯେପରି କେହି ଏହି ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ। 7କାରଣ ଈଶ୍ବର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି। 8ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ। 9ଭ୍ରାତୃପ୍ରେମ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ ଲେଖିବା ଆବଶ୍ୟକ ନାହିଁ, କାରଣ ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ବରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ, 10ପୁଣି, ପ୍ରକୃତରେ ସମୁଦାୟ ମାକିଦନିଆରେ ଥିବା ସମସ୍ତ ଭାଇଙ୍କ ପ୍ରତି ତୁମ୍ଭେମାନେ ତାହା କରୁଅଛ। ତଥାପି, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆହୁରି ଅଧିକ ରୂପେ ତାହା କର, 11ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥିନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ, 12ଯେପରି ବାହାର ଲୋକମାନଙ୍କ ପ୍ରତି ତୁମ୍ଭେମାନେ ସଦାଚାରୀ ହୁଅ ଆଉ ତୁମ୍ଭମାନଙ୍କର କୌଣସି ଅଭାବ ନ ହୁଏ।
ସୁସମାଚାର
1ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ। 2ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ! 3ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, 4“ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ? 5ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ, 6ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’ 7ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।” 8“ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ? 9ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’ 10ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 18 ନାଗରିକ ପଞ୍ଜିକାର ଡିସେମ୍ବର 1। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର