ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 30
ଅର୍ଥୋଡକ୍ସ ପଞ୍ଜିକା · 17 ନଭେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 30 ନଭେମ୍ବର 2027
ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 24ତମ ସପ୍ତାହ · ସ୍ୱର 6
ପର୍ବ ଓ ସନ୍ଥ
Saint Gregory the Wonderworker, Bishop of Neo-Cæsarea († c. 266-270)
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
9ହଁ, ଆମ୍ଭମାନଙ୍କ ଈଶ୍ବରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ କିପରି ଧନ୍ୟବାଦ ଦେଇପାରୁ? 10ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରିପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ। 11ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ; 12ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ। 13ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।
ପତ୍ର (ସନ୍ଥ ଗ୍ରେଗୋରୀ ଆଶ୍ଚର୍ଯ୍ୟକର୍ମୀଙ୍କ ପାଇଁ)
7କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ। 8କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ, 9ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି, 10ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ। 11କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ଭିନ୍ନ ଭିନ୍ନ ରୂପେ ଦାନ ବିତରଣ କରି ଏହି ସମସ୍ତ କର୍ମ ସାଧନ କରନ୍ତି।
ସୁସମାଚାର
25ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ଯାଉଥିଲେ, ଆଉ ସେ ବୁଲିପଡ଼ି ସେମାନଙ୍କୁ କହିଲେ, 26“କେହି ଯେବେ ମୋʼ ପାଖକୁ ଆସି ନିଜର ପିତା, ମାତା, ସ୍ତ୍ରୀ, ସନ୍ତାନ, ଭାଇ ଓ ଭଉଣୀମାନଙ୍କୁ ଏପରିକି ନିଜ ପ୍ରାଣକୁ ସୁଦ୍ଧା ମୋʼଠାରୁ ଅଧିକ ପ୍ରିୟ ମନେ କରେ, ତେବେ ସେ ମୋହର ଶିଷ୍ୟ ହୋଇପାରେ ନାହିଁ। 27ଯେ କେହି ଆପଣା କ୍ରୁଶ ବହନ କରି ମୋହର ଅନୁସରଣ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ। 28କାରଣ ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀ-ଗୃହ ତିଆରି କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ପାଇଁ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ? 29କାଳେ ସେ ମୂଳଦୁଆ ପଥର ବସାଇ ଶେଷ କରି ନ ପାରିଲେ, ଯେତେ ଲୋକ ତାହା ଦେଖିବେ, ସମସ୍ତେ ତାହାକୁ ପରିହାସ କରି କହିବାକୁ ଲାଗିବେ, 30ଏ ଲୋକଟା ତିଆରି କରିବାକୁ ଆରମ୍ଭ କରି ଶେଷ କରିପାରିଲା ନାହିଁ। 31କିମ୍ବା କେଉଁ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଥିବା ସମୟରେ, କୋଡ଼ିଏ ହଜାର ସୈନ୍ୟ ଘେନି ତାହାଙ୍କ ବିରୁଦ୍ଧରେ ଆସୁଥିବା ରାଜାଙ୍କ ସହିତ ଦଶ ହଜାର ସୈନ୍ୟ ନେଇ ଯୁଦ୍ଧ କରିବାକୁ ସକ୍ଷମ କି ନାହିଁ, ତାହା ପ୍ରଥମେ ବସି ବିବେଚନା କରିବେ ନାହିଁ? 32ଯଦି ପାରନ୍ତି ନାହିଁ, ତେବେ ଅନ୍ୟ ରାଜା ଦୂରରେ ଥାଉ ଥାଉ ସେ ଦୂତ ପଠାଇ ସନ୍ଧି ପ୍ରାର୍ଥନା କରନ୍ତି। 33ସେହି ପ୍ରକାରେ ତୁମ୍ଭମାନଙ୍କ ମଧ୍ୟରୁ ଯେ କେହି ଆପଣାର ସବୁ କିଛି ତ୍ୟାଗ ନ କରେ, ସେ ମୋହର ଶିଷ୍ୟ ହୋଇପାରେ ନାହିଁ।” 34“ଲବଣ ତ ଉତ୍ତମ; କିନ୍ତୁ ଲବଣ ମଧ୍ୟ ଯଦି ସ୍ୱାଦ ଦିଏ ନାହିଁ, ତେବେ ତାହା କାହିଁରେ ସ୍ୱାଦଯୁକ୍ତ କରାଯିବ? 35ତାହା ଭୂମି କିମ୍ବା ଖତଗଦା ନିମନ୍ତେ ଯୋଗ୍ୟ ନୁହେଁ; ଲୋକେ ତାହା ବାହାରେ ଫୋପାଡ଼ି ଦିଅନ୍ତି। ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 17 ନାଗରିକ ପଞ୍ଜିକାର ନଭେମ୍ବର 30। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର