ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 19
ଅର୍ଥୋଡକ୍ସ ପଞ୍ଜିକା · 6 ନଭେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 19 ନଭେମ୍ବର 2027
ଶୁକ୍ରବାର · ପେଣ୍ଟିକଷ୍ଟ ପରେ 22ତମ ସପ୍ତାହ · ସ୍ୱର 4
ପର୍ବ ଓ ସନ୍ଥ
Saint Paul the Confessor, Bishop of Constantinople († 350)
ଉପବାସ ଦିନ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
10ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି, ବର୍ଣ୍ଣବ୍ବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ (ଏହାଙ୍କ ସମ୍ବନ୍ଧରେ ତୁମ୍ଭେମାନେ ଆଦେଶ ପାଇଅଛ; ସେ ଯଦି ତୁମ୍ଭମାନଙ୍କ ନିକଟକୁ ଆସନ୍ତି, ତେବେ ତାହାଙ୍କୁ ଗ୍ରହଣ କର) ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, 11ଆଉ, ଯୂସ୍ତ ନାମରେ ଖ୍ୟାତ ଯୀଶୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ସୁନ୍ନତିପ୍ରାପ୍ତ ବିଶ୍ୱାସୀମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ବରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି। 12ଏପାଫ୍ରା, ଯେ ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମ୍ଭମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମ୍ଭେମାନେ ସିଦ୍ଧ ଓ ଈଶ୍ବରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ। 13କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ପୁଣି, ଲାଅଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ୱୀକାର କରୁଅଛନ୍ତି, ତାହାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି। 14ପ୍ରିୟ ବୈଦ୍ୟ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 15ଲାଅଦିକିଆରେ ଥିବା ଭାଇମାନଙ୍କୁ, ନୁମ୍ଫା ଓ ତାହାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଅଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି, ଲାଅଦିକିଆରୁ ଯେଉଁ ପତ୍ର ଆସିବ, ତାହା ତୁମ୍ଭେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯତ୍ନ କର। 17ଆର୍ଖିପ୍ପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ, ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ। 18ମୁଁ ପାଉଲ ମୋହର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି। ମୋହର ବନ୍ଧନ ସ୍ମରଣ କର। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ସୁସମାଚାର
2କିନ୍ତୁ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ। 3ଅତଏବ ତୁମ୍ଭେମାନେ ଯାହା ଅନ୍ଧକାରରେ କହିଅଛ, ସେହିସବୁ ଆଲୋକରେ ଶୁଣାଯିବ, ପୁଣି, ଯାହା ଗୁପ୍ତ କୋଠରୀରେ ଗୋପନରେ କହିଅଛ, ତାହା ଘର ଛାତ ଉପରେ ଘୋଷଣା କରାଯିବ।” 4“କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ଯେଉଁମାନେ ଶରୀରକୁ ବଧ କରନ୍ତି, ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। 5କିନ୍ତୁ କାହାକୁ ଭୟ କରିବ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି; ବଧ କଲା ଉତ୍ତାରେ ନର୍କରେ ପକାଇବା ନିମନ୍ତେ ଯାହାଙ୍କର ଅଧିକାର ଅଛି, ତାହାଙ୍କୁ ଭୟ କର; ହଁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତାହାଙ୍କୁ ଭୟ କର। 6ପାଞ୍ଚୋଟି ଘରଚଟିଆ କଅଣ ଯୋଡ଼ିଏ ପଇସାରେ ବିକାଯାଆନ୍ତି ନାହିଁ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିଏକୁ ମଧ୍ୟ ଈଶ୍ବର ଭୁଲିଯାଆନ୍ତି ନାହିଁ। 7କିନ୍ତୁ ତୁମ୍ଭମାନଙ୍କର ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଭୟ କର ନାହିଁ; ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।” 8“ଆଉ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଲୋକମାନଙ୍କ ଆଗରେ ମୋତେ ସ୍ୱୀକାର କରିବେ, ମନୁଷ୍ୟପୁତ୍ର ମଧ୍ୟ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ; 9କିନ୍ତୁ ଯେ ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ତାହାକୁ ଈଶ୍ବରଙ୍କ ଦୂତମାନଙ୍କ ସାକ୍ଷାତରେ ଅସ୍ୱୀକାର କରାଯିବ। 10ଆଉ ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ; ମାତ୍ର ଯେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହିବ, ତାହାକୁ କ୍ଷମା ଦିଆଯିବ ନାହିଁ। 11ଆଉ, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମାଜଗୃହ, ଶାସନକର୍ତ୍ତା ଓ କ୍ଷମତା ପ୍ରାପ୍ତ ବ୍ୟକ୍ତିମାନଙ୍କ ନିକଟକୁ ନେଇଯିବେ, ସେତେବେଳେ ତୁମ୍ଭେମାନେ ଆପଣା ସପକ୍ଷରେ କିପରି ବାକି କଥା ଉତ୍ତର ଦେବ କିମ୍ବା କଅଣ କହିବ, ସେ ବିଷୟରେ ଚିନ୍ତା କର ନାହିଁ; 12କାରଣ କଅଣ କହିବାକୁ ହେବ, ତାହା ପବିତ୍ର ଆତ୍ମା ସେହି ସମୟରେ ତୁମ୍ଭମାନଙ୍କୁ ଶିଖାଇବେ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 6 ନାଗରିକ ପଞ୍ଜିକାର ନଭେମ୍ବର 19। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର