ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 2
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 2 ନଭେମ୍ବର 2027
ମଙ୍ଗଳବାର · ସାଧାରଣ କାଳର 31ତମ ସପ୍ତାହ
ପର୍ବ ଓ ସନ୍ଥ
ସମସ୍ତ ବିଶ୍ୱସ୍ତ ପରଲୋକଗତଙ୍କ ସ୍ମରଣ (ସମସ୍ତ ଆତ୍ମାଙ୍କ ଦିବସ)
ସ୍ମରଣ · ଉପାସନାର ରଙ୍ଗ: ବାଇଗଣୀ
ଦିନର ପାଠ
ପ୍ରଥମ ପାଠ
6ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ। 7ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। 8ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। 9ପୁଣି, ସେହି ଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ; ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।”
ପ୍ରତିଉତ୍ତର ଗୀତ
1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ। 2ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। 3ସେ ମୋʼ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି। 4ଏଣୁ ମୁଁ ମୃତ୍ୟୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି। 5ତୁମ୍ଭେ ମୋʼ ଶତ୍ରୁଗଣଙ୍କ ସାକ୍ଷାତରେ ମୋʼ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ; ମୋʼ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି। 6ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।
ଦ୍ୱିତୀୟ ପାଠ
12ଏଣୁ ଖ୍ରୀଷ୍ଟ ଯେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ଏହା ଯଦି ପ୍ରଚାର କରାଯାଉଅଛି, ତେବେ ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି ତୁମ୍ଭମାନଙ୍କ ମଧ୍ୟରେ କେହି କେହି କିପରି କହନ୍ତି? 13ଯଦି ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି; 14ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତ ଆମ୍ଭମାନଙ୍କ ପ୍ରଚାର ବୃଥା, ତୁମ୍ଭମାନଙ୍କ ବିଶ୍ୱାସ ମଧ୍ୟ ବୃଥା, 15ପୁଣି, ଆମ୍ଭେମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯେ ମିଥ୍ୟା ସାକ୍ଷୀ, ଏହା ପ୍ରକାଶ ପାଏ। କାରଣ ଆମ୍ଭେମାନେ ଈଶ୍ବରଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେଇଥାଆନ୍ତୁ ଯେ, ସେ ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି ମାତ୍ର ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ସେ ତାହାଙ୍କୁ ଉଠାଇ ନାହାନ୍ତି; 16ଯେଣୁ ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି; 17ଆଉ, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମ୍ଭେମାନେ ଏପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ। 18ତାହାହେଲେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ମହାନିଦ୍ରାପ୍ରାପ୍ତ କରିଅଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇଅଛନ୍ତି। 19ଯଦି କେବଳ ଏହି ଜୀବନ ନିମନ୍ତେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଭରସା ରଖିଅଛୁ, ତେବେ ସମସ୍ତ ମନୁଷ୍ୟଙ୍କଠାରୁ ଆମ୍ଭେମାନେ ଦୟନୀୟ ଅଟୁ। 20କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। 21କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। 22ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। 23କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ; 24ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ଈଶ୍ବର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ। 25କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ। 26ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ;
ସୁସମାଚାର
କିମ୍ବା: ଯୋହ 1:1–5, 9–14
27ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?” 28ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ। 29ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ। 30ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ। 31ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ। 32ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ। 33କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।” 34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। 35କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର