ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 6
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 6 ଅକ୍ଟୋବର 2027
ବୁଧବାର · ସାଧାରଣ କାଳର 27ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 27ତମ ସପ୍ତାହର ବୁଧବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ
ସନ୍ଥ ବ୍ରୁନୋ, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
1ମାତ୍ର ଯୂନସ ଏଥିରେ ମହା ଅସନ୍ତୁଷ୍ଟ ଓ କ୍ରୁଦ୍ଧ ହେଲେ। 2ଆଉ, ସେ ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ବିନତି କରେ, ମୁଁ ସ୍ୱଦେଶରେ ଥିବା ବେଳେ କି ଏହି କଥା କହି ନ ଥିଲି? ଏଥିପାଇଁ ଶୀଘ୍ର କରି ତର୍ଶୀଶକୁ ପଳାଇଲି; କାରଣ ତୁମ୍ଭେ ଯେ କୃପାମୟ, ସ୍ନେହଶୀଳ, କ୍ରୋଧରେ ଧୀର, ଦୟାରେ ମହାନ ଓ ଅମଙ୍ଗଳର ବିଷୟରେ ଅନିଚ୍ଛୁକ ପରମେଶ୍ୱର ଅଟ, ଏହା ମୁଁ ଜାଣିଲି। 3ଏହେତୁ ହେ ସଦାପ୍ରଭୁ, ବିନତି କରେ, ଏବେ ମୋʼ ପ୍ରାଣ ମୋʼ ଠାରୁ ନିଅ; କାରଣ ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।” 4ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ କ୍ରୋଧ କରି କି ଭଲ କରୁଅଛ?” 5ତେବେ ଯୂନସ ନଗର ବାହାରକୁ ଯାଇ ନଗରର ପୂର୍ବ ଦିଗରେ ବସିଲେ, ପୁଣି ସେଠାରେ ଗୋଟିଏ କୁଟୀର ନିର୍ମାଣ କରି ନଗରର କି ଦଶା ହୁଅଇ, ଏହା ଦେଖିବା ପାଇଁ ତହିଁର ଛାୟା ତଳେ ବସିଲେ। 6ତହିଁରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ କଖାରୁ ଲତା ନିରୂପଣ କଲେ, ପୁଣି ଯୂନସଙ୍କୁ ତାଙ୍କ ଦୁର୍ଗତିରୁ ଉଦ୍ଧାର କରିବା ନିମନ୍ତେ ତାହା ଯେପରି ତାଙ୍କ ମସ୍ତକ ଉପରେ ଛାୟା କରିବ, ଏଥିପାଇଁ ସେ ଲତାକୁ ବଢ଼ାଇ ତାଙ୍କ ଉପରେ ଆଣିଲେ। ଏଥିରେ ଯୂନସ ସେହି କଖାରୁ ଲତା ସକାଶୁ ବଡ଼ ଆହ୍ଲାଦିତ ହେଲେ। 7ମାତ୍ର ତହିଁ ଆରଦିନ ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ଏକ କୀଟ ନିରୂପଣ କଲେ, ସେହି କୀଟ କଖାରୁ ଲତାକୁ କାଟି ଦିଅନ୍ତେ, ତାହା ଶୁଷ୍କ ହୋଇଗଲା। 8ପୁଣି, ସୂର୍ଯ୍ୟୋଦୟ ସମୟରେ ପରମେଶ୍ୱର ପୂର୍ବୀୟ ଝଞ୍ଜା ବାୟୁ ନିରୂପଣ କଲେ; ଆଉ, ଯୂନସଙ୍କ ମସ୍ତକରେ ଏପରି ଖରା ଲାଗିଲା ଯେ, ସେ କ୍ଳାନ୍ତ ହୋଇ ଆପଣାର ମୃତ୍ୟୁ-ପ୍ରାର୍ଥନା କରି କହିଲେ, “ବଞ୍ଚିବା ଅପେକ୍ଷା ମୋର ମରିବାର ଭଲ।” 9ଏଥିରେ ପରମେଶ୍ୱର ଯୂନସଙ୍କୁ କହିଲେ, “ତୁମ୍ଭେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ?” ତହିଁରେ ସେ କହିଲେ, “ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ।” 10ପୁଣି, ସଦାପ୍ରଭୁ କହିଲେ, “ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି, ତହିଁ ପାଇଁ ତୁମ୍ଭେ ପରିଶ୍ରମ କରି ନାହଁ, କିଅବା ତାହା ବଢ଼ାଇ ନାହଁ; ତାହା ଏକ ରାତ୍ରିରେ ଉତ୍ପନ୍ନ ହେଲା ଓ ଏକ ରାତ୍ରିରେ ବିନଷ୍ଟ ହେଲା। 11ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର ଏକ ଲକ୍ଷ କୋଡ଼ିଏ ହଜାରରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନୀନିବୀ ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା?”
ପ୍ରତିଉତ୍ତର ଗୀତ
3ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ। 4ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ। 5ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। 6ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର। 9ହେ ପ୍ରଭୋ, ତୁମ୍ଭର ସୃଷ୍ଟ ସକଳ ଦେଶୀୟ ଲୋକ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ ଓ ସେମାନେ ତୁମ୍ଭ ନାମର ଗୌରବ କରିବେ। 10କାରଣ ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟକର୍ମ କରୁଥାଅ। ତୁମ୍ଭେ ଏକମାତ୍ର ପରମେଶ୍ୱର ଅଟ।
ସୁସମାଚାର
1ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଅନ୍ତୁ। 2ଏଥିରେ ସେ ସେମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ‘ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ। 3ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। 4ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକୁ କ୍ଷମା କରୁ। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ।’”
ଆଜିର ସନ୍ଥ
- ସନ୍ଥ ବ୍ରୁନୋ, ପୁରୋହିତ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର