ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 6
ଅର୍ଥୋଡକ୍ସ ପଞ୍ଜିକା · 24 ଜୁଲାଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 6 ଅଗଷ୍ଟ 2027
ଶୁକ୍ରବାର · ପେଣ୍ଟିକଷ୍ଟ ପରେ ସପ୍ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Martyr Christina of Tyre († c. 300)
ଉପବାସ ଦିନ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
9ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ। 10ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ। 11ଆମ୍ଭେ, ଆମ୍ଭେ ହିଁ ସଦାପ୍ରଭୁ ଅଟୁ ଓ ଆମ୍ଭ ଛଡ଼ା ଆଉ ତ୍ରାଣକର୍ତ୍ତା ନାହିଁ। 12ଆମ୍ଭେ ପ୍ରକାଶ କରିଅଛୁ, ଆମ୍ଭେ ଉଦ୍ଧାର କରିଅଛୁ ଓ ଆମ୍ଭେ ଦେଖାଇଅଛୁ, ଆଉ ତୁମ୍ଭମାନଙ୍କ ମଧ୍ୟରେ କୌଣସି ବିଦେଶୀୟ ଦେବତା ନ ଥିଲା; ଏହେତୁ ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13“ହଁ, ଦିବସର ପୂର୍ବରୁ ଆମ୍ଭେ ସେହି ଅଟୁ ଓ ଆମ୍ଭ ହସ୍ତରୁ ଉଦ୍ଧାରକାରୀ କେହି ନାହିଁ; ଆମ୍ଭେ କାର୍ଯ୍ୟ କରିବା, ଆଉ କିଏ ତାହା ଅନ୍ୟଥା କରିବ?” 14ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସକାଶେ ବାବିଲକୁ ଲୋକ ପଠାଇଅଛୁ ଓ ଆମ୍ଭେ ସେସମସ୍ତଙ୍କୁ ପଳାତକଗଣ ତୁଲ୍ୟ ଆଣିବା; କଲ୍ଦୀୟମାନଙ୍କୁ ହିଁ ସେମାନଙ୍କର ଆନନ୍ଦଗାନର ନୌକାରେ ଆଣିବା।
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
12କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; 13ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ। 14ଅତଏବ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; 15କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ। 16କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ, 17ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ। 18କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; 19ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”
ପତ୍ର
35ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି। 36କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ। 37କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ। 38ଏଣୁ ଯେ ଆପଣା କୁମାରୀ କନ୍ୟାକୁ ବିବାହ ଦିଏ, ସେ ଭଲ କରେ, ପୁଣି, ଯେ ବିବାହ ନ ଦିଏ, ସେ ଆହୁରି ଭଲ କରେ। 39ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ। 40କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ। 8:1ଦେବପ୍ରସାଦ ସମ୍ବନ୍ଧରେ ମୋହର ଉତ୍ତର ଏହି, ଆମ୍ଭ ସମସ୍ତଙ୍କର ଜ୍ଞାନ ଅଛି ବୋଲି ତୁମ୍ଭେମାନେ ଯାହା କହୁଅଛ, ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମରୁ ନିଷ୍ଠା ଜାତ ହୁଏ। 2ଯଦି କେହି କୌଣସି ବିଷୟରେ ଜ୍ଞାନୀ ବୋଲି ମନେ କରେ, ତେବେ ତାହାର ଯେପରି ଜାଣିବା ଉଚିତ୍, ସେ ଏପର୍ଯ୍ୟନ୍ତ ସେପରି ଜାଣି ନାହିଁ; 3କିନ୍ତୁ ଯଦି କେହି ଈଶ୍ବରଙ୍କୁ ପ୍ରେମ କରେ, ସେହି ଜଣ ତାହାଙ୍କ ପରିଚିତ। 4ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ। 5କାରଣ ସ୍ୱର୍ଗରେ ହେଉ ବା ପୃଥିବୀରେ ହେଉ, ଯେଉଁମାନଙ୍କୁ ଦେବତା ବୋଲି କୁହାଯାଏ, ଯଦ୍ୟପି ସେମାନେ ଥାଇ ପାରନ୍ତି (ଏପରି ତ ଅନେକ ଦେବତା ଓ ଅନେକ ପ୍ରଭୁ ଅଛନ୍ତି), 6ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ବର, ଅର୍ଥାତ୍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି, ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ, ପୁଣି, ଏକମାତ୍ର ପ୍ରଭୁ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି, ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ। 7ତଥାପି ସମସ୍ତଙ୍କର ଏହି ଜ୍ଞାନ ନାହିଁ; କିନ୍ତୁ କେତେକ ଲୋକ ଏପର୍ଯ୍ୟନ୍ତ ଦେବତା ଅଛି ବୋଲି ଭାବି ଦେବପ୍ରସାଦ ଭୋଜନ କରନ୍ତି, ଆଉ ସେମାନଙ୍କର ବିବେକ ଦୁର୍ବଳ ଥିବାରୁ କଳୁଷିତ ହୁଏ।
ପତ୍ର (ସନ୍ଥ ବୋରିସ୍ ଓ ଗ୍ଲେବ୍ଙ୍କ ପାଇଁ)
28ଯେଉଁମାନେ ଈଶ୍ବରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ବର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। 29କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। 30ଆଉ, ଯେଉଁମାନଙ୍କୁ ସେ ପୂର୍ବରୁ ନିରୂପଣ କରିଥିଲେ, ସେମାନଙ୍କୁ ସେ ମଧ୍ୟ ଆହ୍ୱାନ କଲେ, ପୁଣି, ଯେଉଁମାନଙ୍କୁ ସେ ଆହ୍ୱାନ କଲେ, ସେମାନଙ୍କୁ ସେ ମଧ୍ୟ ଧାର୍ମିକ ବୋଲି ଗଣିଲେ, ଆଉ ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣିଲେ, ସେମାନଙ୍କୁ ସେ ମଧ୍ୟ ଗୌରବାନ୍ୱିତ କଲେ। 31ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? 32ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? 33ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। 34କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। 35ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଳେଶ, କି ସଙ୍କଟ, କି ତାଡ଼ନା, କି ଦୁର୍ଭିକ୍ଷ, କି ଉଲଗ୍ନତା, କି ବିପଦ, କି ଖଡ୍ଗ? 36ଯେପରି ଲେଖାଅଛି, “ତୁମ୍ଭ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ; ଆମ୍ଭେମାନେ ବଧଯୋଗ୍ୟ ମେଷ ପରି ଗଣିତ ହୋଇଅଛୁ।” 37ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଏହି ସମସ୍ତ ବିଷୟରେ ସର୍ବତୋଭାବେ ବିଜୟୀ ଅଟୁ। 38କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, 39ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ବରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ।
ସୁସମାଚାର
29ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ। 30ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ। 31ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
ସୁସମାଚାର (ସନ୍ଥ ବୋରିସ୍ ଓ ଗ୍ଲେବ୍ଙ୍କ ପାଇଁ)
17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।” 18“ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:1“ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁଲାଇ 24 ନାଗରିକ ପଞ୍ଜିକାର ଅଗଷ୍ଟ 6। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର