ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 1
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 1 ଅଗଷ୍ଟ 2027
ରବିବାର · ସାଧାରଣ କାଳର 18ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 18ତମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
2ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ। 3ପୁଣି, ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ କହିଲେ, “ହାୟ, ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯଦି ଆମ୍ଭେମାନେ ମିସର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାʼନ୍ତୁ। ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଅଛ।” 4ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା; ପୁଣି, ଲୋକମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣାନୁସାରେ ଖାଦ୍ୟ ସଂଗ୍ରହ କରିବେ; ତହିଁରେ ସେମାନେ ଆମ୍ଭର ବ୍ୟବସ୍ଥାନୁସାରେ ଚାଲିବେ କି ନାହିଁ, ଆମ୍ଭେ ସେମାନଙ୍କର ଏହି ପରୀକ୍ଷା ନେବା। 12“ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’” 13ଏଥିଉତ୍ତାରେ ସନ୍ଧ୍ୟା ସମୟରେ ଭାଟୋଇ ପକ୍ଷୀଗଣ ଆସି ଛାଉଣି-ସ୍ଥାନ ଆଚ୍ଛାଦନ କଲେ, ପୁଣି, ପ୍ରାତଃକାଳରେ ଛାଉଣି ସ୍ଥାନର ଚାରିଆଡ଼େ କାକର ପଡ଼ିଲା। 14ଏଉତ୍ତାରେ ପତିତ କାକର ଊର୍ଦ୍ଧ୍ୱଗତ ହେଲାରୁ ଭୂମିସ୍ଥିତ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ପ୍ରାନ୍ତର ଉପରେ ପଡ଼ି ରହିଲା। 15ଆଉ ଇସ୍ରାଏଲ-ସନ୍ତାନଗଣ ତାହା ଦେଖି ପରସ୍ପରକୁ କହିଲେ, “ଏହା କʼଣ ଅଟେ?” ଯେହେତୁ ତାହା କʼଣ ଥିଲା, ସେମାନେ ଜାଣିଲେ ନାହିଁ। ତହିଁରେ ମୋଶା କହିଲେ, “ଏହା ତୁମ୍ଭମାନଙ୍କ ଭୋଜନ ନିମନ୍ତେ ସଦାପ୍ରଭୁଙ୍କ ଦତ୍ତ ଅନ୍ନ।
ପ୍ରତିଉତ୍ତର ଗୀତ
3ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି। 4ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ-କର୍ମସକଳ ବର୍ଣ୍ଣନା କରିବା। 23ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ ଓ ଆକାଶର ଦ୍ୱାର ମୁକ୍ତ କଲେ। 24ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ। 25ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ। 54ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ।
ଦ୍ୱିତୀୟ ପାଠ
17ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ; 20କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ; 21ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ, 22ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ, 23ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ, 24ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
ସୁସମାଚାର
24ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ। 25ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ? 26ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ। 27କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍, ଈଶ୍ବର ମୁଦ୍ରାଙ୍କିତ କଲେ।” 28ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ? 29ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।” 30ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତାହାହେଲେ ଆପଣ ଚିହ୍ନସ୍ୱରୂପ କଅଣ କରୁଅଛନ୍ତି ଯେ, ତାହା ଦେଖି ଆମ୍ଭେମାନେ ଆପଣଙ୍କୁ ବିଶ୍ୱାସ କରିପାରୁ? 31ଆପଣ କଅଣ ସାଧନ କରୁଅଛନ୍ତି? ଆମ୍ଭମାନଙ୍କର ପିତୃ-ପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରୁଥିଲେ, ଯେପରି ଲେଖାଅଛି, ଭୋଜନ କରିବା ନିମନ୍ତେ ସେ ସେମାନଙ୍କୁ ସ୍ୱର୍ଗରୁ ଆହାର ଦେଲେ। 32ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୋଶା ତୁମ୍ଭମାନଙ୍କୁ ସ୍ୱର୍ଗରୁ ଆହାର ଦେଇ ନାହାନ୍ତି, କିନ୍ତୁ ମୋହର ପିତା ତୁମ୍ଭମାନଙ୍କୁ ସ୍ୱର୍ଗରୁ ପ୍ରକୃତ ଆହାର ଦିଅନ୍ତି; 33କାରଣ ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରି ଜଗତକୁ ଜୀବନ ପ୍ରଦାନ କରେ, ତାହା ଈଶ୍ବରଦତ୍ତ ଆହାର।” 34ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ସବୁବେଳେ ଆମ୍ଭମାନଙ୍କୁ ଏହି ଆହାର ଦିଅନ୍ତୁ। 35ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ସେହି ଜୀବନଦାୟକ ଆହାର; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ୱାସ କରେ, ସେ କଦାପି ତୃଷିତ ହେବ ନାହିଁ।
ଆଜିର ସନ୍ଥ
- ସନ୍ଥ ଆଲଫୋନ୍ସସ୍ ଲିଗୁଓରି, ଧର୍ମାଧ୍ୟକ୍ଷ ଓ ମଣ୍ଡଳୀର ଆଚାର୍ଯ୍ୟ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର