ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 5
ଅର୍ଥୋଡକ୍ସ ପଞ୍ଜିକା · 22 ଜୁନ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 5 ଜୁଲାଇ 2027
ସୋମବାର · ପେଣ୍ଟିକଷ୍ଟ ପରେ ତୃତୀୟ ସପ୍ତାହ · ସ୍ୱର 1
ପର୍ବ ଓ ସନ୍ଥ
Hieromartyr Eusebius, Bishop of Samosata († 380)
ପ୍ରେରିତମାନଙ୍କ ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
1ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି। 2ସ୍ୱାମୀ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାମୀ ସହିତ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥାଏ, କିନ୍ତୁ ସ୍ୱାମୀ ମରିଗଲେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ। 3ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାହାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ। 4ଏଣୁ ହେ ମୋହର ଭାଇମାନେ, ଖ୍ରୀଷ୍ଟଙ୍କ ଶରୀର ଦ୍ୱାରା ତୁମ୍ଭେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛ, ଯେପରି ତୁମ୍ଭେମାନେ ଅନ୍ୟ ସହିତ ସଂଯୁକ୍ତ ହୁଅ, ଅର୍ଥାତ୍ ଆମ୍ଭେମାନେ ଈଶ୍ବରଙ୍କ ନିମନ୍ତେ ଫଳ ଉତ୍ପନ୍ନ କରିବା ପାଇଁ ଯେ ମୃତ୍ୟୁରୁ ଉତ୍ଥାପିତ ହୋଇଅଛନ୍ତି, ତାହାଙ୍କ ସହିତ ସଂଯୁକ୍ତ ହୁଅ। 5କାରଣ ଯେତେବେଳେ ଆମ୍ଭେମାନେ ଶରୀରର ବଶରେ ଥିଲୁ, ସେତେବେଳେ ବ୍ୟବସ୍ଥା ଦ୍ୱାରା ପାପାଭିଳାଷଗୁଡ଼ାକ ଆମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରିବାକୁ କାର୍ଯ୍ୟ ସାଧନ କରୁଥିଲା, 6କିନ୍ତୁ ଯେପରି ଆମ୍ଭେମାନେ ଆବଦ୍ଧ ଥିଲୁ, ସେଥିପ୍ରତି ମୃତ ହୋଇ ଆମ୍ଭେମାନେ ବର୍ତ୍ତମାନ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ; ଏଣୁ ଆମ୍ଭେମାନେ ଆକ୍ଷରିକ ପୁରାତନ ଭାବରେ ଦାସ୍ୟକର୍ମ ନ କରି ଆତ୍ମାରେ ନୂତନ ଭାବରେ ଦାସ୍ୟକର୍ମ କରୁଅଛୁ। 7ତେବେ, ଆମ୍ଭେମାନେ କଅଣ କହିବା? ମୋଶାଙ୍କ ବ୍ୟବସ୍ଥା କଅଣ ପାପ? ତାହା କେବେ ହେଁ ନ ହେଉ। ବରଂ ପାପ କଅଣ, ତାହା ମୋଶାଙ୍କ ବ୍ୟବସ୍ଥା ବିନା ମୁଁ ଜାଣି ନ ଥାଆନ୍ତି; କାରଣ ଲୋଭ କର ନାହିଁ, ମୋଶାଙ୍କ ବ୍ୟବସ୍ଥା ଏହା କହି ନ ଥିଲେ, ଲୋଭ କଅଣ, ତାହା ମୁଁ ଜାଣି ନ ଥାଆନ୍ତି। 8କିନ୍ତୁ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋʼ ଠାରେ ସବୁପ୍ରକାର ଲୋଭ ଜନ୍ମାଇଲା; କାରଣ ବ୍ୟବସ୍ଥା ବିନା ପାପ ମୃତ। 9ଆଉ, ମୁଁ ଏ କ ସମୟରେ ବ୍ୟବସ୍ଥା ବିନା ଜୀବିତ ଥିଲି, କିନ୍ତୁ ଆଜ୍ଞା ଆସନ୍ତେ ପାପ ଜୀବିତ ହେଲା, ପୁଣି, ମୁଁ ମୃତ ହେଲି; 10ସେଥିରେ ଜୀବନଦାୟକ ଯେଉଁ ଆଜ୍ଞା, ତାହା ମୋʼ ପକ୍ଷରେ ମୃତ୍ୟୁଦାୟକ ବୋଲି ଜଣାଗଲା। 11କାରଣ ପାପ ସୁଯୋଗ ପାଇ ଆଜ୍ଞା ଦ୍ୱାରା ମୋତେ ପ୍ରତାରଣା କଲା, ପୁଣି, ତାହା ଦ୍ୱାରା ମୋତେ ବଧ କଲା। 12ଅତଏବ, ବ୍ୟବସ୍ଥା ପବିତ୍ର, ପୁଣି, ଆଜ୍ଞା ପବିତ୍ର, ନ୍ୟାୟସଙ୍ଗତ ଓ ଉତ୍ତମ। 13ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ।
ସୁସମାଚାର
36ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ। 37ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ, 38ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।” 10:1ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। 2ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, 3ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ, 4କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା। 5ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। 7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। 8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁନ 22 ନାଗରିକ ପଞ୍ଜିକାର ଜୁଲାଇ 5। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର