ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 22
ଅର୍ଥୋଡକ୍ସ ପଞ୍ଜିକା · 9 ଜୁନ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 22 ଜୁନ 2027
ମଙ୍ଗଳବାର · ପେଣ୍ଟିକଷ୍ଟ ପରେ ପ୍ରଥମ ସପ୍ତାହ · ସ୍ୱର 7
ପର୍ବ ଓ ସନ୍ଥ
ତ୍ରିତ୍ୱର ତୃତୀୟ ଦିନ
ଉପବାସମୁକ୍ତ ସପ୍ତାହ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
1ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ଓ ଆହୂତ ଜଣେ ପ୍ରେରିତ, ପୁଣି, ଈଶ୍ବର ଆପଣା ପୁତ୍ର ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବବାଦୀମାନଙ୍କ ଦ୍ୱାରା ପୂର୍ବରେ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ, 2ସେ ରୋମରେ ଥିବା ଈଶ୍ବରଙ୍କ ପ୍ରିୟ ଓ ଆହୂତ ସମସ୍ତ ସାଧୁଙ୍କ ନିକଟକୁ ପତ୍ର ଲେଖୁଅଛି। 3ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ, 4କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ 5ଆଉ, ଯେଉଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ ହୋଇଅଛ, 6ତାହାଙ୍କ ନାମର ଗୌରବ ନିମନ୍ତେ ସେହି ଅଣଯିହୁଦୀ ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି, ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ। 7ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। 13ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ। 14ଗ୍ରୀକ୍ କି ବର୍ବର, ଶିକ୍ଷିତ କି ଅଶିକ୍ଷିତ, ସମସ୍ତଙ୍କ ନିକଟରେ ମୁଁ ଋଣୀ। 15ଅତଏବ, ରୋମବାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରିବାକୁ ମୁଁ ଇଚ୍ଛୁକ ଅଟେ। 16କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ। 17ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
ସୁସମାଚାର
25ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍ଗମନ କଲେ। 5:1ଲୋକମାନଙ୍କୁ ଦେଖି ଯୀଶୁ ପାହାଡ ଉପରକୁ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। 2ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, 3“ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। 4ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ। 5ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। 6ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। 7ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। 8ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ଦର୍ଶନ ପାଇବେ। 9ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ସନ୍ତାନ ଭାବରେ ପରିଚିତ ହେବେ। 10ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। 11ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। 12ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ। 13ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁନ 9 ନାଗରିକ ପଞ୍ଜିକାର ଜୁନ 22। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର