ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 7
ଅର୍ଥୋଡକ୍ସ ପଞ୍ଜିକା · 25 ମଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 7 ଜୁନ 2027
ସୋମବାର · ପାସ୍କାର ଷଷ୍ଠ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Third Finding of the Honorable Head of the Holy Glorious Prophet, Forerunner and Baptist John (c. 850)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
17ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା। 18ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ। 19ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 20ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 21ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ। 22ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 23ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ। 24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 25ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 26ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ। 27ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।” 29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
ପତ୍ର
1ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା। 2ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ, 3ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ। 4ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ। 5କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ। 6ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି। 7ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି। 8ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ। 9ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ। 10ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ। 11ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ। 12ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ। 13କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ। 14ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ। 15କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।
ପତ୍ର (ଅଗ୍ରଦୂତଙ୍କ ପାଇଁ)
6ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। 7ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; 8ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; 9ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; 10ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। 11କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ। 12ଏହି ପ୍ରକାରେ ଆମ୍ଭମାନଙ୍କଠାରେ ମୃତ୍ୟୁ, କିନ୍ତୁ ତୁମ୍ଭମାନଙ୍କଠାରେ ଜୀବନ କାର୍ଯ୍ୟ ସାଧନ କରୁଅଛି। 13“ମୁଁ ବିଶ୍ୱାସ କଲି, ଏଣୁ କଥା କହିଲି,” ଶାସ୍ତ୍ରରେ ଏହି ଲିଖିତ ବାକ୍ୟ ଅନୁସାରେ ସେହି ବିଶ୍ୱାସଜନକ ଆତ୍ମା ପାଇଥିବାରୁ ଆମ୍ଭେମାନେ ମଧ୍ୟ ବିଶ୍ୱାସ କରୁ, ଏଣୁ ମଧ୍ୟ କଥା କହୁ; 14କାରଣ ଆମ୍ଭେମାନେ ଜାଣୁ, ପ୍ରଭୁ ଯୀଶୁଙ୍କୁ ଯେ ଉଠାଇଲେ, ସେ ଆମ୍ଭମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ ଉଠାଇବେ ଓ ତାହାଙ୍କ ଛାମୁରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ। 15ଯେଣୁ ସମସ୍ତ ବିଷୟ ତୁମ୍ଭମାନଙ୍କ ସକାଶେ ହେଉଅଛି, ସେହିପରି ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇ ଈଶ୍ବରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦର କାରଣ ହେଉ।
ସୁସମାଚାର
47ସେଥିରେ ପ୍ରଧାନ ଯାଜକ ଓ ଫାରୂଶୀମାନେ ମହାସଭା ଆହ୍ୱାନ କରି କହିଲେ, ଆମ୍ଭେମାନେ କଅଣ କରୁଅଛୁ? ଏ ଲୋକ ତ ଅନେକ ଆଶ୍ଚର୍ଯ୍ୟକର୍ମ କରୁଅଛି। 48ଯଦି ଆମ୍ଭେମାନେ ତାହାକୁ ଏପରି ଛାଡ଼ିଦେବା, ତାହାହେଲେ ସମସ୍ତେ ତାହାଠାରେ ବିଶ୍ୱାସ କରିବେ, ଆଉ ରୋମୀୟ ଅଧିକାରୀମାନେ ଆସି ଆମ୍ଭମାନଙ୍କର ଏହି ସ୍ଥାନ ଓ ଜାତି ଉଭୟଙ୍କୁ ନଷ୍ଟ କରିଦେବେ। 49କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ, ଅର୍ଥାତ୍, କୟାଫା ନାମକ ସେହି ବର୍ଷର ମହାଯାଜକ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଛି ଜାଣ ନାହିଁ; 50ସମୁଦାୟ ଜାତି ବିନଷ୍ଟ ନ ହୋଇ ଲୋକସାଧାରଣଙ୍କ ନିମନ୍ତେ ଜଣେ ଯେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ, ଏହା ମଧ୍ୟ ତୁମ୍ଭେମାନେ ବିଚାର କରୁ ନାହଁ। 51ସେ ଆପଣାଠାରୁ ଏହା କହିଲେ ନାହିଁ, କିନ୍ତୁ ସେ ସେହି ବର୍ଷର ମହାଯାଜକ ଥିବାରୁ ଯୀଶୁ ଯେ ଜାତି ନିମନ୍ତେ, 52ଆଉ କେବଳ ସେହି ଜାତି ନିମନ୍ତେ ନୁହେଁ, ମାତ୍ର ଈଶ୍ବରଙ୍କ ଛିନ୍ନଭିନ୍ନ ସନ୍ତାନମାନଙ୍କୁ ମଧ୍ୟ ସଂଗ୍ରହ କରି ଏକ କରିବା ନିମନ୍ତେ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି, ଏଥିସକାଶେ ଏହି ଭାବବାଣୀ କହିଲେ। 53ତେଣୁ ସେହି ଦିନଠାରୁ ସେମାନେ ତାହାଙ୍କୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ। 54ଅତଏବ, ଯୀଶୁ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଆଉ ପ୍ରକାଶରେ ଗମନାଗମନ କଲେ ନାହିଁ, କିନ୍ତୁ ସେ ସେ ସ୍ଥାନରୁ ବାହାରିଯାଇ ପ୍ରାନ୍ତର ନିକଟରେ ଥିବା ଅଞ୍ଚଳର ଇଫ୍ରୟିମ ନାମକ ଗୋଟିଏ ନଗରକୁ ପ୍ରସ୍ଥାନ କଲେ, ଆଉ ସେ ଶିଷ୍ୟମାନଙ୍କ ସହିତ ସେଠାରେ ରହିଲେ। 55ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ଥିଲା, ପୁଣି, ପଲ୍ଲୀଗ୍ରାମଗୁଡ଼ିକରୁ ଅନେକେ ଆପଣା ଆପଣାକୁ ଶୁଚି କରିବା ନିମନ୍ତେ ନିସ୍ତାର ପର୍ବ ପୂର୍ବେ ଯିରୂଶାଲମ ସହରକୁ ଯାତ୍ରା କଲେ। 56ସେଥିରେ ସେମାନେ ଯୀଶୁଙ୍କର ଅନ୍ୱେଷଣ କରୁ କରୁ ମନ୍ଦିରରେ ଠିଆ ହୋଇଥିବା ସମୟରେ ପରସ୍ପର କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ମନେ କରୁଅଛ? ସେ କି ପର୍ବକୁ ଆସିବେ ନାହିଁ? 57ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କୁ ଧରିବା ଉଦ୍ଦେଶ୍ୟରେ, ସେ କେଉଁଠାରେ ଅଛନ୍ତି, ଏହା ଯଦି କେହି ଜାଣେ, ତାହା ପ୍ରକାଶ କରିବାକୁ ଆଜ୍ଞା ଦେଇଥିଲେ।
ସୁସମାଚାର (ଅଗ୍ରଦୂତଙ୍କ ପାଇଁ)
2ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, 3ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 4ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ; 5ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 6ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।” 7ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 8ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 9ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ; 10ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 11ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ। 12ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି। 13କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ। 14ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି। 15ଯାହାର କାନ ଅଛି, ସେ ଶୁଣୁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 25 ନାଗରିକ ପଞ୍ଜିକାର ଜୁନ 7। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର