ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 30
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 30 ମଇ 2027
ରବିବାର · ସାଧାରଣ କାଳର ନବମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର ନବମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
12ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାନୁସାରେ ବିଶ୍ରାମବାର ପାଳନ କରି ପବିତ୍ର କର। 13ତୁମ୍ଭେ ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; 14ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ତୁମ୍ଭର ଦାସୀ, ତୁମ୍ଭର ଗୋରୁ, କି ତୁମ୍ଭର ଗର୍ଦ୍ଦଭ, ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ; ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିବେ। 15ତୁମ୍ଭେ ସ୍ମରଣ କରିବ ଯେ, ତୁମ୍ଭେ ମିସର ଦେଶରେ ଦାସ ହୋଇଥିଲ, ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପରାକ୍ରାନ୍ତ ହସ୍ତ ଓ ବିସ୍ତାରିତ ବାହୁ ଦ୍ୱାରା ସେଠାରୁ ତୁମ୍ଭକୁ ବାହାର କରି ଆଣିଲେ; ଏହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଶ୍ରାମବାର ପାଳନାର୍ଥେ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି।
ପ୍ରତିଉତ୍ତର ଗୀତ
2ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ। 3ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ। 4କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ। 5ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ। 6“ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା। 7ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। [ସେଲା] 9ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ। 10ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।
ଦ୍ୱିତୀୟ ପାଠ
6ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ବର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ବରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। 7ମାତ୍ର ମହାଶକ୍ତି ଯେ ଈଶ୍ବରଙ୍କର, ପୁଣି, ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥିନିମନ୍ତେ ଆମ୍ଭେମାନେ ଏହି ଧନ ମୃତ୍ତିକା ପାତ୍ରରେ ପାଇଅଛୁ; 8ଆମ୍ଭେମାନେ ସର୍ବପ୍ରକାରେ କ୍ଳେଶଭୋଗ କରୁଅଛୁ, ତଥାପି ଅବରୁଦ୍ଧ ନୋହୁଁ; ହତବୁଦ୍ଧି ହେଉଅଛୁ, ତଥାପି ନିରାଶ ନୋହୁଁ; 9ତାଡ଼ନା ପ୍ରାପ୍ତ ହେଉଅଛୁ, ତଥାପି ପରିତ୍ୟକ୍ତ ନୋହୁଁ; ଅଧଃପତିତ ହେଉଅଛୁ, ତଥାପି ବିନଷ୍ଟ ନୋହୁଁ; 10ଆମ୍ଭେମାନେ ସର୍ବଦା ଯୀଶୁଙ୍କ ମୃତ୍ୟୁଭୋଗ ଶରୀରରେ ଅନୁଭବ କରୁଅଛୁ, ଯେପରି ଯୀଶୁଙ୍କ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହୁଏ। 11କାରଣ ଯୀଶୁଙ୍କ ଜୀବନ ଯେପରି ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ପ୍ରକାଶିତ ହୁଏ, ଏଥିପାଇଁ ଆମ୍ଭେମାନେ ଜୀବିତ ହେଲେ ହେଁ ସର୍ବଦା ଯୀଶୁଙ୍କ ସକାଶେ ମୃତ୍ୟୁମୁଖରେ ସମର୍ପିତ ହେଉଅଛୁ।
ସୁସମାଚାର
23ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ। 24ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, 25ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ? 26ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।” 27ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ। 28ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।” 3:1ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। 2ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି। 3ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।” 4ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ। 5ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା। 6ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର