Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 27

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 27 ମଇ 2027

ଗୁରୁବାର · ସାଧାରଣ କାଳର ଅଷ୍ଟମ ସପ୍ତାହ

ପର୍ବ ଓ ସନ୍ଥ

ଖ୍ରୀଷ୍ଟଙ୍କ ପରମ ପବିତ୍ର ଶରୀର ଓ ରକ୍ତ

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 24:3–8

3ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ନିୟମ ବିଷୟ ଲୋକମାନଙ୍କୁ କହନ୍ତେ, ସମସ୍ତେ ଏକସ୍ୱରରେ ଉତ୍ତର କଲେ, “ସଦାପ୍ରଭୁ ଯେଉଁସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା।” 4ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ, ପୁଣି, ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶାନୁସାରେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ। 5ଆଉ, ସେ ଇସ୍ରାଏଲ-ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। 6ତହୁଁ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦି ଉପରେ ସେଚନ କଲେ। 7ପୁଣି, ନିୟମ-ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କଲେ; ତହିଁରେ ସେମାନେ କହିଲେ, “ସଦାପ୍ରଭୁ ଯାହା ଯାହା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା।” 8ତହୁଁ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି, ସେହି ନିୟମର ରକ୍ତ ଏହି।”

ପ୍ରତିଉତ୍ତର ଗୀତ

ଗୀତ 116:12–13, 15–18

12ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ ମୁଁ ତାହାଙ୍କୁ କି ପ୍ରତିଦାନ କରିବି? 13ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। 15ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। 16ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ। 17ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। 18ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,

ଦ୍ୱିତୀୟ ପାଠ

ଏବ୍ରୀ 9:11–15

11କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ, 12ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। 13କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ, 14ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ! 15ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି।

ସୁସମାଚାର

ମାର୍କ 14:12–16, 22–26

12ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? 13ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ; 14ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ? 15ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।” 16ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। 22ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।” 23ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। 24ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ। 25ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।” 26ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର