Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 17

ଅର୍ଥୋଡକ୍ସ ପଞ୍ଜିକା · 4 ମଇ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 17 ମଇ 2027

ସୋମବାର · ପାସ୍କାର ତୃତୀୟ ସପ୍ତାହ · ସ୍ୱର 2

ପର୍ବ ଓ ସନ୍ଥ

Virginmartyr Pelagia of Tarsus, in Asia Minor († c. 290)

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ପ୍ରେରି 6:8–7:5, 47–60

8ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ। 9କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, 10ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ। 11ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ। 12ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ, 13ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ, 14କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ। 15ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ। 7:1ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ ଅଭିଯୋଗ କି ସତ୍ୟ? 2ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ, 3ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ। 4ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ, 5ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ। 47କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ। 48ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି, 49‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ? 50ଆମ୍ଭର ହସ୍ତ କଅଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ?’ 51ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି। 52ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି; 53ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।” 54ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ। 55କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ, 56“ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।” 57କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ, 58ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ। 59ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।” 60ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।

ସୁସମାଚାର

ଯୋହ 4:46–54

46ଏଥିମଧ୍ୟରେ ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସ କରିଥିଲେ, ସେ ସ୍ଥାନକୁ ସେ ପୁନର୍ବାର ଗଲେ। ଆଉ ଜଣେ ରାଜକର୍ମଚାରୀ ଥିଲେ, ତାହାଙ୍କ ପୁତ୍ର କଫର୍ନାହୂମରେ ପୀଡ଼ିତ ଥିଲା। 47ଯୀଶୁ ଯିହୂଦିୟା ପ୍ରଦେଶରୁ ଗାଲିଲୀକୁ ବାହାରି ଆସିଅଛନ୍ତି, ଏହା ଶୁଣି ସେ ତାହାଙ୍କ ନିକଟକୁ ଯାଇ ସେ ଯେପରି ଆସି ତାହାଙ୍କ ପୁତ୍ରକୁ ସୁସ୍ଥ କରନ୍ତି, ଏଥିପାଇଁ ତାହାଙ୍କୁ ଅନୁରୋଧ କରିବାକୁ ଲାଗିଲେ, କାରଣ ସେ ମୃତବତ୍‍ ହୋଇଥିଲା। 48ସେଥିରେ ଯୀଶୁ ତାହାଙ୍କୁ କହିଲେ, “ଚିହ୍ନ ଓ ଅଦ୍ଭୁତ କର୍ମମାନ ନ ଦେଖିଲେ ତୁମ୍ଭେମାନେ କୌଣସି ପ୍ରକାରେ ବିଶ୍ୱାସ କରିବ ନାହିଁ।” 49ରାଜକର୍ମଚାରୀ ତାହାଙ୍କୁ କହିଲେ, ହେ ପ୍ରଭୁ, ମୋହର ପିଲାଟି ମରିବା ପୂର୍ବରୁ ଆସନ୍ତୁ। 50ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।” ଯୀଶୁ ସେହି ବ୍ୟକ୍ତିଙ୍କୁ ଯେଉଁ ବାକ୍ୟ କହିଲେ, ସେ ତାହା ବିଶ୍ୱାସ କରି ଚାଲିଗଲେ। 51ପୁଣି, ସେ ଯାଉ ଯାଉ ତାହାଙ୍କ ଦାସମାନେ ତାହାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ। 52ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ। ସେଥିରେ ସେମାନେ ତାହାଙ୍କୁ କହିଲେ, କାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ତାହାକୁ ଜ୍ୱର ଛାଡ଼ିଗଲା। 53ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ। 54ଯିହୂଦିୟା ପ୍ରଦେଶରୁ ପୁର୍ନବାର ଗାଲିଲୀ ପ୍ରଦେଶକୁ ଆସି ଯୀଶୁ ଏହି ଦ୍ୱିତୀୟ ଆଶ୍ଚର୍ଯ୍ୟକର୍ମ ସାଧନ କଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 4 ନାଗରିକ ପଞ୍ଜିକାର ମଇ 17। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର