ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 8
ଅର୍ଥୋଡକ୍ସ ପଞ୍ଜିକା · 26 ମାର୍ଚ୍ଚ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 8 ଅପ୍ରେଲ 2027
ଗୁରୁବାର · ମହା ଉପବାସର ଚତୁର୍ଥ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Synaxis of the Archangel Gabriel
ମହା ଉପବାସ
କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ଷଷ୍ଠ ଘଣ୍ଟା
14ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; 15ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,” 16ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ୱରୂପ ବହୁମୂଲ୍ୟ କୋଣ-ପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ୱାସ କରେ, ସେ ଚଞ୍ଚଳ ହେବ ନାହିଁ। 17ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।” 18ପୁଣି, ମୃତ୍ୟୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ। 19ତାହା ଯେତେ ଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ। 20କାରଣ, ଆପଣାକୁ ଲମ୍ବାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର। 21ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେହିପରି ଉଠିବେ, ଯେପରି ଗିବୀୟୋନ୍ର ତଳଭୂମିରେ, ସେହିପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ। 22ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ।
ସନ୍ଧ୍ୟା ପ୍ରାର୍ଥନା: ପାଠ
32ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି, ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ। 11:1ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକରୂପ ଉଚ୍ଚାରଣ ଥିଲା। 2ଆଉ ଘଟଣାକ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ। 3ଏଥିଉତ୍ତାରେ ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା। 4ପୁଣି, ସେମାନେ କହିଲେ, “ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି, ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ।” 5ଏଥିଉତ୍ତାରେ ମନୁଷ୍ୟ-ସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ। 6ପୁଣି, ସଦାପ୍ରଭୁ କହିଲେ, “ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରେ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ। 7ଏଥିପାଇଁ ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେହି ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ।” 8ଏହିରୂପେ ସଦାପ୍ରଭୁ ସେହି ସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ। 9ସେଥିପାଇଁ ସେହି ନଗରର ନାମ ବାବିଲ (ଭେଦ) ହେଲା; ଯେହେତୁ ସଦାପ୍ରଭୁ ସେହି ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି, ସେହି ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
19ବାଞ୍ଛାସିଦ୍ଧି ପ୍ରାଣକୁ ମିଷ୍ଟ ଲାଗେ; ପୁଣି, ମନ୍ଦ ତ୍ୟାଗ କରିବାର ମୂର୍ଖ ଲୋକର ଘୃଣା ବିଷୟ। 20ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ; ମାତ୍ର ମୂର୍ଖମାନଙ୍କର ସଙ୍ଗୀ କ୍ଳେଶ ପାଇବ। 21ପାପୀମାନଙ୍କ ପଛେ ମନ୍ଦ ଗୋଡ଼ାଏ; ମାତ୍ର ଧାର୍ମିକମାନଙ୍କୁ ମଙ୍ଗଳରୂପ ପୁରସ୍କାର ଦତ୍ତ ହେବ। 22ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ। 23ଦରିଦ୍ରର ଚାଷ ଦ୍ୱାରା ଖାଦ୍ୟର ବାହୁଲ୍ୟ ହୁଏ; ମାତ୍ର ଅନ୍ୟାୟ ସକାଶୁ କାହାର କାହାର ବିନାଶ ହୁଏ। 24ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ, ସେ ଆପଣା ପୁତ୍ରକୁ ଘୃଣା କରେ; ପୁଣି ଯେ ତାହାକୁ ପ୍ରେମ କରେ, ସେ ଯଥାକାଳରେ ଶାସ୍ତି ଦିଏ। 25ଧାର୍ମିକ ଆପଣା ପ୍ରାଣର ତୃପ୍ତି ପର୍ଯ୍ୟନ୍ତ ଖାଏ, ମାତ୍ର ପାପୀର ଉଦର ଅତୃପ୍ତ ଥାଏ। 14:1ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। 2ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ; ମାତ୍ର ବିପଥଗାମୀ ତାହାଙ୍କୁ ତୁଚ୍ଛ କରେ। 3ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ; ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ। 4ଗୋରୁ ନ ଥିଲେ, କୁଣ୍ଡ ନିର୍ମଳ ଥାଏ; ପୁଣି, ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ। 5ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ; କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ। 6ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ; ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 26 ନାଗରିକ ପଞ୍ଜିକାର ଅପ୍ରେଲ 8। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର