Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 23

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 23 ମାର୍ଚ୍ଚ 2027

ମଙ୍ଗଳବାର · ପବିତ୍ର ସପ୍ତାହ

ପର୍ବ ଓ ସନ୍ଥ

ପବିତ୍ର ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯିଶା 49:1–6

1ହେ ଦ୍ୱୀପସମୂହ, ମୋʼ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି; 2ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି; 3ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।” 4ମାତ୍ର ମୁଁ କହିଲି, “ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।” 5ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି); 6ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”

ପ୍ରତିଉତ୍ତର ଗୀତ

ଗୀତ 71:1–6, 15, 17

1ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି; ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ। 2ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର; ମୋʼ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର। 3ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋʼ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ; ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ; କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ। 4ହେ ମୋହର ପରମେଶ୍ୱର, ଦୁଷ୍ଟ ଲୋକ ହସ୍ତରୁ, ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର। 5କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ମୋହର ଭରସା; ମୋʼ ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି। 6ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି; ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ; ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ। 15ମୋହର ମୁଖ ସାରାଦିନ ତୁମ୍ଭର ଧର୍ମ ଓ ତୁମ୍ଭର ପରିତ୍ରାଣ ବର୍ଣ୍ଣନା କରିବ; କାରଣ ମୁଁ ତହିଁର ସଂଖ୍ୟା ଜାଣେ ନାହିଁ। 17ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ ଶିକ୍ଷା ଦେଇ ଆସୁଅଛ; ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ପ୍ରଚାର କରିଅଛି।

ସୁସମାଚାର

ଯୋହ 13:21–33, 36–38

21ଯୀଶୁ ଏହି ସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍‌ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।” 22ସେ କାହା ସମ୍ବନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ। 23ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଯାହାକୁ ଯୀଶୁ ପ୍ରେମ କରୁଥିଲେ, ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ। 24ଅତଏବ, ଶିମୋନ ପିତର ତାହାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ବନ୍ଧରେ କହୁଅଛନ୍ତି, ତାହା କୁହ। 25ସେ ସେହି ପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୁ, ସେ କିଏ? 26ତେଣୁ ଯୀଶୁ ଉତ୍ତର ଦେଲେ, “ଯାହା ନିମନ୍ତେ ମୁଁ ଏହି ରୁଟିଖଣ୍ଡକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ।” ତହିଁରେ ସେ ସେହି ରୁଟିଖଣ୍ଡକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ। 27ସେ ରୁଟିଖଣ୍ଡକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାହାକୁ କହିଲେ, “ଯାହା କରୁଅଛ, ତାହା ଶୀଘ୍ର କର।” 28କିନ୍ତୁ ସେ କି ଉଦ୍ଦେଶ୍ୟରେ ତାହାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ। 29କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ବା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାହାକୁ କହିଲେ ବୋଲି କେହି କେହି ମନେ କଲେ। 30ରୁଟିଖଣ୍ଡକ ଗ୍ରହଣ କରି ସେ ତତ୍‍କ୍ଷଣାତ୍‍ ବାହାରିଗଲା, ସେତେବେଳେ ରାତ୍ରିକାଳ। 31ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, “ଏବେ ମନୁଷ୍ୟପୁତ୍ର ମହିମାନ୍ୱିତ ହେଲେ ଓ ତାହାଙ୍କଠାରେ ଈଶ୍ବର ମହିମାନ୍ୱିତ ହେଲେ। 32ଯଦି ଈଶ୍ବର ତାହାଙ୍କଠାରେ ମହିମାନ୍ୱିତ ହେଲେ, ତେବେ ଈଶ୍ବର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ୱିତ କରିବେ, ପୁଣି, ଶୀଘ୍ର ତାହାଙ୍କୁ ମହିମାନ୍ୱିତ କରିବେ। 33ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ୱେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି। 36ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।” 37ପିତର ତାହାଙ୍କୁ ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି। 38ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର