Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 20

ଅର୍ଥୋଡକ୍ସ ପଞ୍ଜିକା · 7 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 20 ମାର୍ଚ୍ଚ 2027

ଶନିବାର · ମହା ଉପବାସର ପ୍ରଥମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

Hieromartyrs Basil, Ephraim, Eugene, Elpidius, Agathodorus, Aetherius, and Kapiton of Cherson (4th C)

ମହା ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଏବ୍ରୀ 1:1–12

1ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି, 2ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; 3ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, 4ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି। 5କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?” 6ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।” 7ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ୱରୂପ କରନ୍ତି, ପୁଣି, ଆପଣା ସେବକମାନଙ୍କୁ ଅଗ୍ନିଶିଖା ସ୍ୱରୂପ କରନ୍ତି,” 8ଅପର ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି, ନ୍ୟାୟର ଦଣ୍ଡ ତୁମ୍ଭର ରାଜ୍ୟର ଦଣ୍ଡ ଅଟେ।” 9“ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ବର, ତୁମ୍ଭର ଈଶ୍ବର, ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା, ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷେକ କରିଅଛନ୍ତି।” 10ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରୁ ହିଁ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି, ଆକାଶମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ।” 11“ସେହି ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ଚିରସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି କ୍ଷୟ ପାଇଯିବ,” 12“ପୁଣି, ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି, ତୁମ୍ଭର ବର୍ଷସମୂହ କେବେ ଶେଷ ହେବ ନାହିଁ।”

ପତ୍ର (ସନ୍ଥ ଥିଓଡୋର୍‌ଙ୍କ ପାଇଁ)

ଦ୍ଵି.ତୀମ 2:1–10

1ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, 2ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର। 3ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। 4କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ। 5ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ। 6ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ। 7ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ। 8ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର। 9ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ। 10ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।

ସୁସମାଚାର

ମାର୍କ 2:23–3:5

23ଥରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ଡାଇବାକୁ ଲାଗିଲେ। 24ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, 25ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, “ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ? 26ଅବିୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି, ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ।” 27ଆଉ ସେ ସେମାନଙ୍କୁ କହିଲେ, “ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇ ନାହିଁ। 28ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି।” 3:1ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। 2ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି। 3ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।” 4ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ। 5ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।

ସୁସମାଚାର (ସନ୍ଥ ଥିଓଡୋର୍‌ଙ୍କ ପାଇଁ)

ଯୋହ 15:17–16:2

17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।” 18“ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:1“ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 7 ନାଗରିକ ପଞ୍ଜିକାର ମାର୍ଚ୍ଚ 20। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର