ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 23
ଅର୍ଥୋଡକ୍ସ ପଞ୍ଜିକା · 10 ଫେବୃଆରୀ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 23 ଫେବୃଆରୀ 2027
ମଙ୍ଗଳବାର · କରଗ୍ରାହୀ ଓ ଫାରୂଶୀର ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Hieromartyr Charalampus, Bishop of Magnesia in Thessaly, and the Martyrs Porphyrius, Baptus and 3 Women Martyrs († 202)
ଉପବାସମୁକ୍ତ ସପ୍ତାହ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
9ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ପୁଣି, ଅଧାର୍ମିକମାନଙ୍କୁ, ବିଶେଷତଃ ଯେଉଁମାନେ ଶରୀରର କୁତ୍ସିତ କାମାଭିଳାଷରେ ଚାଳିତ ହୋଇ ପ୍ରଭୁତ୍ୱ ଅବଜ୍ଞା କରନ୍ତି, ସେମାନଙ୍କୁ ବିଚାର ଦିନ ନିମନ୍ତେ ଦଣ୍ଡର ଅଧୀନରେ ରଖିବାକୁ ଜାଣନ୍ତି। 10ସେମାନେ ଦୁଃସାହସୀ ଓ ସ୍ୱେଚ୍ଛାଚାରୀ ହୋଇ ଅଲୌକିକ ଶକ୍ତିମାନଙ୍କର ନିନ୍ଦା କରିବାକୁ ଭୟ କରନ୍ତି ନାହିଁ, 11ଯଦ୍ୟପି ଅଧିକ ଶକ୍ତି ଓ ପରାକ୍ରମଶାଳୀ ଦୂତମାନେ ପ୍ରଭୁଙ୍କ ଛାମୁରେ ନିନ୍ଦା କରି ସେମାନଙ୍କର ବିଚାର କରନ୍ତି ନାହିଁ। 12କିନ୍ତୁ ଏମାନେ ଅଜ୍ଞାନ ପଶୁ ତୁଲ୍ୟ ସ୍ୱଭାବାନୁସାରେ ଧୃତ ଓ ବିନଷ୍ଟ ହେବା ନିମନ୍ତେ ଜାତ ହୋଇ, ଯେଉଁ ଯେଉଁ ବିଷୟ ଅଜ୍ଞାତ, ସେହି ସେହି ବିଷୟର ନିନ୍ଦା କରି ସେଗୁଡ଼ାକର ବିନାଶରେ ନିଜେ ବିନଷ୍ଟ ହେବେ, 13ପୁଣି, ଅନ୍ୟାୟ ବେତନ ସ୍ୱରୂପେ ଅଧର୍ମର ଫଳ ଭୋଗ କରିବେ; ସେମାନେ ଦିନବେଳେ ବିଳାସ କରିବାରେ ସୁଖ ପାଆନ୍ତି, ପୁଣି, କଳଙ୍କ ଓ ନିନ୍ଦାର କାରଣ ହୋଇ ତୁମ୍ଭମାନଙ୍କ ସହିତ ଭୋଜନପାନରେ ସୁଖ ପାଇବା ସମୟରେ ଆପଣାମାନଙ୍କର ଭ୍ରଷ୍ଟ କଳ୍ପନାରେ ଉନ୍ମତ୍ତ ହୁଅନ୍ତି। 14ସେମାନଙ୍କର ଚକ୍ଷୁ ବ୍ୟଭିଚାରିଣୀ ସ୍ତ୍ରୀରେ ପରିପୂର୍ଣ୍ଣ ହୋଇ ପାପରୁ କ୍ଷାନ୍ତ ହୁଏ ନାହିଁ, ସେମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି, ସେମାନଙ୍କର ହୃଦୟ ଧନଲୋଭରେ ଅଭ୍ୟସ୍ତ, ସେମାନେ ଅଭିଶାପର ସନ୍ତାନ, 15ସେମାନେ ଅନ୍ୟାୟ ବେତନର ଲାଳସାକାରୀ ବିୟୋରର ପୁତ୍ର ବିଲୀୟାମର ମାର୍ଗ ଅନୁସରଣ କଲେ ଓ ସତ୍ୟ ମାର୍ଗ ପରିତ୍ୟାଗ କରି ବିପଥଗାମୀ ହେଲେ; 16କିନ୍ତୁ ସେ ଆପଣା ଅପରାଧ ସକାଶେ ଅନୁଯୋଗ ପ୍ରାପ୍ତ ହେଲା, ଗୋଟିଏ ମୂକ ପଶୁ ମନୁଷ୍ୟ ସ୍ୱରରେ କଥା କହି ଭାବବାଦୀର ଉନ୍ମତ୍ତତା ନିବୃତ୍ତ କଲା। 17ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି। 18କାରଣ ସେମାନେ ନିରର୍ଥକ ଅହଙ୍କାରର କଥା କହି ଭ୍ରାନ୍ତ ଆଚରଣକାରୀମାନଙ୍କଠାରୁ ପ୍ରାୟ ଉଦ୍ଧାର ପାଉଥିବା ଲୋକମାନଙ୍କୁ ଶାରୀରିକ ସୁଖାଭିଳାଷରେ କାମୁକତା ଦ୍ୱାରା ପ୍ରଲୋଭିତ କରନ୍ତି; 19ସେମାନେ ସେମାନଙ୍କୁ ସ୍ୱାଧୀନତାର ପ୍ରତିଜ୍ଞା ଦିଅନ୍ତି, କିନ୍ତୁ ନିଜେ ବିନାଶର ଦାସ ଅଟନ୍ତି; କାରଣ ଯେ ଯାହା ଦ୍ୱାରା ପରାସ୍ତ ହୁଏ, ସେ ସେଥିର ଦାସ। 20ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହାହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ। 21କାରଣ ଧାର୍ମିକତାର ମାର୍ଗ ଜାଣି ଆପଣାମାନଙ୍କ ନିକଟରେ ସମର୍ପିତ ପବିତ୍ର ଆଜ୍ଞାରୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାଆନ୍ତା। 22କୁକୁର ଆପଣା ବାନ୍ତି ଖାଇବାକୁ ଓ ଧୌତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ, ଏହି ସତ୍ୟ ଦୃଷ୍ଟାନ୍ତବାକ୍ୟ ସେମାନଙ୍କ ପ୍ରତି ଘଟିଅଛି।
ସୁସମାଚାର
14“କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ; 15ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ; 16ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ। 17ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! 18କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର। 19କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ବରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ। 20ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି। 21ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ। 22ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ। 23କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 10 ନାଗରିକ ପଞ୍ଜିକାର ଫେବୃଆରୀ 23। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର