Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ଫେବୃଆରୀ 2027

ରବିବାର · ଉପବାସ କାଳର ଦ୍ୱିତୀୟ ସପ୍ତାହ

ପର୍ବ ଓ ସନ୍ଥ

ଉପବାସ କାଳର ଦ୍ୱିତୀୟ ରବିବାର

ରବିବାର · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଆଦି 22:1–2, 9–13, 15–18

1ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ୱର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, “ହେ ଅବ୍ରହାମ।” ତହିଁରେ ସେ ଉତ୍ତର କଲେ, “ଦେଖନ୍ତୁ, ମୁଁ ଏଠାରେ ଅଛି।” 2ସେତେବେଳେ ସେ କହିଲେ, “ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍‍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍‌ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି, ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।” 9ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍‌ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ। 10ଏଥିଉତ୍ତାରେ ଅବ୍ରହାମ ହସ୍ତ ବିସ୍ତାରି ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। 11ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!” ତହିଁରେ ସେ କହିଲେ, “ଦେଖନ୍ତୁ, ମୁଁ ଏଠାରେ।” 12ତହିଁରେ ସେ କହିଲେ, “ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।” 13ସେତେବେଳେ ଅବ୍ରହାମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବଦ୍ଧଶୃଙ୍ଗ ଗୋଟିଏ ମେଷ ଦେଖିଲେ; ତହିଁରେ ଅବ୍ରହାମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। 15ଆଉ ସଦାପ୍ରଭୁଙ୍କ ଦୂତ ଦ୍ୱିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, 16“ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; 17ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ। 18ପୁଣି, ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।”

ପ୍ରତିଉତ୍ତର ଗୀତ

ଗୀତ 116:10, 15–19

10ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି; “ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,” 15ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ। 16ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ; ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର; ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ। 17ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି, ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି। 18ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ, 19ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଦ୍ୱିତୀୟ ପାଠ

ରୋମୀ 8:31–34

31ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? 32ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? 33ଈଶ୍ବରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ବର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି। 34କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।

ସୁସମାଚାର

ମାର୍କ 9:2–10

2ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ। 3ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ। 4ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ। 5ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। 6କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ। 7ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। 8ପୁଣି, ହଠାତ୍‍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ। 9ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ। 10ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର