Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଜାନୁଆରୀ 2027

ମଙ୍ଗଳବାର · ସାଧାରଣ କାଳର ପ୍ରଥମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ପ୍ରଥମ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଏବ୍ରୀ 2:5–12

5କାରଣ ଯାହା ଭାବି ଜଗତର କଥା ଆମ୍ଭେମାନେ କହୁଅଛୁ, ତାହା ଈଶ୍ବର ଦୂତମାନଙ୍କ ଅଧୀନ କରି ନାହାନ୍ତି। 6କିନ୍ତୁ ଜଣେ କୌଣସି ସ୍ଥାନରେ ଏହି କଥା କହି ସାକ୍ଷ୍ୟ ଦେଇଅଛନ୍ତି, “ମନୁଷ୍ୟ କିଏ, ଯେ ତୁମ୍ଭେ ତାହାକୁ ସ୍ମରଣ କରିଥାଅ? ମନୁଷ୍ୟ-ସନ୍ତାନ କିଏ, ଯେ ତୁମ୍ଭେ ତାହାର ଯତ୍ନ ନେଇଥାଅ? 7ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ, 8ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପାଦ ତଳେ ରଖିଅଛ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ, 9କିନ୍ତୁ ଦୂତମାନଙ୍କ ଅପେକ୍ଷା ଯେ ଅଳ୍ପ ସମୟ ନ୍ୟୂନୀକୃତ ହୋଇଥିଲେ, ତାହାଙ୍କୁ, ଅର୍ଥାତ୍‍, ଯୀଶୁଙ୍କୁ ମୃତ୍ୟୁର ଦୁଃଖଭୋଗ ହେତୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟ ପରିଧାନ କରିଥିବାର ଦେଖୁଅଛୁ, ଯେପରି ଈଶ୍ବରଙ୍କ ଅନୁଗ୍ରହରେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ମୃତ୍ୟୁ ଆସ୍ୱାଦନ କରନ୍ତି। 10କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା। 11ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି, 12ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,”

ପ୍ରତିଉତ୍ତର ଗୀତ

ଗୀତ 8:1, 4–8

1ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୋ, ଆମ୍ଭମାନଙ୍କର ପ୍ରଭୋ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କିପରି ମହିମାନ୍ୱିତ! ତୁମ୍ଭେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। 4ମନୁଷ୍ୟ କିଏ ଯେ, ତୁମ୍ଭେ ତାହା ବିଷୟରେ ମନୋଯୋଗୀ ହେଉଅଛ? ଓ ମାନବଜାତି କିଏ ଯେ, ତୁମ୍ଭେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ? 5ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। 6ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ୱ ଦେଇଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ; 7ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ; 8ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ।

ସୁସମାଚାର

ମାର୍କ 1:21–28

21ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ। 22ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ। 23ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା, 24ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି। 25ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।” 26ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା। 27ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି। 28ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର