Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 25

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 25 ଡିସେମ୍ବର 2026

ଶୁକ୍ରବାର · ବଡ଼ଦିନ କାଳ

ପର୍ବ ଓ ସନ୍ଥ

ପ୍ରଭୁଙ୍କ ଜନ୍ମ (ବଡ଼ଦିନ)

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯିଶା 52:7–10

7ଯେଉଁ ଜନ ସୁସମାଚାର ଆଣୁଅଛି, ଯେ ଶାନ୍ତି ପ୍ରଚାର କରୁଅଛି, ଯେ ମଙ୍ଗଳର ସୁସମାଚାର ଆଣୁଅଛି, ଯେ ପରିତ୍ରାଣ ପ୍ରଚାର କରୁଅଛି, ଯେ ସିୟୋନକୁ “ତୁମ୍ଭ ପରମେଶ୍ୱର ରାଜ୍ୟ କରନ୍ତି” ବୋଲି କହୁଅଛି, ତାହାର ଚରଣ ପର୍ବତଗଣର ଉପରେ କିପରି ଶୋଭା ପାଏ! 8ହେଇ, ତୁମ୍ଭ ପ୍ରହରୀଗଣର ରବ! ସେମାନେ ଉଚ୍ଚ ରବ କରୁଅଛନ୍ତି, ସେମାନେ ଏକତ୍ର ଗାନ କରୁଅଛନ୍ତି; କାରଣ ସଦାପ୍ରଭୁ ସିୟୋନକୁ ଫେରି ଆସିବା ବେଳେ ସେମାନେ ସମ୍ମୁଖାସମ୍ମୁଖୀ ହୋଇ ଦେଖିବେ। 9ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି। 10ସଦାପ୍ରଭୁ ସର୍ବଦେଶୀୟମାନଙ୍କ ଦୃଷ୍ଟିରେ ଆପଣା ପବିତ୍ର ବାହୁ ଅନାବୃତ କରିଅଛନ୍ତି ଓ ପୃଥିବୀର ଆଦ୍ୟନ୍ତସ୍ଥିତ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିବେ।

ପ୍ରତିଉତ୍ତର ଗୀତ

ଗୀତ 98:1–6

1ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। 2ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି। 3ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି। 4ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; ଉଚ୍ଚଧ୍ୱନି କର, ଆନନ୍ଦଗାନ କର ଓ ପ୍ରଶଂସା ଗାନ କର। 5ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। 6ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।

ଦ୍ୱିତୀୟ ପାଠ

ଏବ୍ରୀ 1:1–6

1ଈଶ୍ବର ଅତୀତରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ୱାରା ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ କଥା କହି, 2ଏହି ଶେଷକାଳରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ ଓ ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ; 3ସେହି ପୁତ୍ର ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି, ପାପ ମାର୍ଜନା କଲା ଉତ୍ତାରେ ଊର୍ଦ୍ଧ୍ୱସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, 4ସେ ଯେଉଁ ପରିମାଣରେ ଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି। 5କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?” 6ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, “ଈଶ୍ବରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।”

ସୁସମାଚାର

ଯୋହ 1:1–18

1ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ। 2ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ। 3ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। 4ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ। 5ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। 6ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ। 7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 9ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 10ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ। 14ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। 15ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। 16ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ। 17କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। 18କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର