Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 15

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 15 ଡିସେମ୍ବର 2026

ମଙ୍ଗଳବାର · ଆଗମନ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ତୃତୀୟ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ସିଫ 3:1–2, 9–13

1ଯିରୂଶାଲମ ଓ ଗୋଷ୍ଠୀଗଣଙ୍କ ପ୍ରତି ବିଚାର ଉପଦ୍ରବକାରିଣୀ ଯେଉଁ ନଗରୀ ବିଦ୍ରୋହିଣୀ ଓ ଭ୍ରଷ୍ଟା ହୋଇଅଛି, ସେ ସନ୍ତାପର ପାତ୍ରୀ। 2ସେ ରବ ଶୁଣିଲା ନାହିଁ; ସେ ଶିକ୍ଷା ଗ୍ରହଣ କଲା ନାହିଁ; ସେ ସଦାପ୍ରଭୁଙ୍କଠାରେ ନିର୍ଭର ରଖିଲା ନାହିଁ; ସେ ଆପଣା ପରମେଶ୍ୱରଙ୍କ ନିକଟକୁ ଆସିଲା ନାହିଁ। 9ଯେହେତୁ ଗୋଷ୍ଠୀଗଣ ଯେପରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବେ ଓ ଏକ ମନରେ ତାହାଙ୍କର ସେବା କରିବେ, ଏଥିପାଇଁ ସେହି ସମୟରେ ଆମ୍ଭେ ସେମାନଙ୍କୁ ଏକ ବିଶୁଦ୍ଧ ଭାଷା ଦେବା। 10ଆମ୍ଭର ପ୍ରାର୍ଥନାକାରୀମାନେ ଓ ଆମ୍ଭ ଛିନ୍ନଭିନ୍ନ (ଲୋକଙ୍କର) କନ୍ୟା କୂଶ ଦେଶସ୍ଥ ନଦୀସବୁର ସେପାରିରୁ ଆମ୍ଭର ନୈବେଦ୍ୟ ଆଣିବେ। 11ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ। 12ମାତ୍ର ଆମ୍ଭେ ତୁମ୍ଭ ମଧ୍ୟରେ କ୍ଳେଶଯୁକ୍ତ ଓ ଦରିଦ୍ର ଏକ ଗୋଷ୍ଠୀକୁ ରଖିବା, ଆଉ ସେମାନେ ସଦାପ୍ରଭୁଙ୍କ ନାମରେ ନିର୍ଭର ରଖିବେ। 13ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନେ ଅଧର୍ମ କରିବେ ନାହିଁ, କିଅବା ମିଥ୍ୟା କହିବେ ନାହିଁ; ଅଥବା ପ୍ରତାରକ ଜିହ୍ୱା ସେମାନଙ୍କ ମୁଖରେ ଦେଖାଯିବ ନାହିଁ; କାରଣ ସେମାନେ ଚରିବେ ଓ ଶୟନ କରିବେ, ଆଉ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ।”

ପ୍ରତିଉତ୍ତର ଗୀତ

ଗୀତ 34:1–2, 5–6, 16–18, 22

1ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି; ମୋʼ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ। 2ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ; ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ। 5ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ ହେଲେ; ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ। 6ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ। 16ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ। 17ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ। 18ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି। 22ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି; ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।

ସୁସମାଚାର

ମାଥି 21:28–32

28“ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ‘ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର।’” 29ସେ ଉତ୍ତର ଦେଲା, “‘ମୋହର ଇଚ୍ଛା ନାହିଁ,’ କିନ୍ତୁ ପରେ ଅନୁତାପ କରି ଗଲା। 30ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ‘ମହାଶୟ, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ।’ 31ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା?” ସେମାନେ କହିଲେ, “ପ୍ରଥମ ଜଣକ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି। 32କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର