Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 13

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 13 ଡିସେମ୍ବର 2026

ରବିବାର · ଆଗମନ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ତୃତୀୟ ରବିବାର

ରବିବାର · ଉପାସନାର ରଙ୍ଗ: ଗୋଲାପୀ

ଦିନର ପାଠ

ପ୍ରଥମ ପାଠ

ଯିଶା 61:1–2, 10–11

1ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; 2ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; 10ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି। 11କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।

ପ୍ରତିଉତ୍ତର ଗୀତ

ଲୂକ 1:47–50, 53–54

47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 50ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। 53ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। 54ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି,

ଦ୍ୱିତୀୟ ପାଠ

ପ୍ର.ଥେସ 5:16–24

16ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; 17ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; 18କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ବରଙ୍କ ଅଭିମତ। 19ପବିତ୍ର ଆତ୍ମାଙ୍କୁ ନିର୍ବାଣ ନ କର; 20ଭାବବାଣୀ ତୁଚ୍ଛ କର ନାହିଁ; 21ବରଂ ସମସ୍ତ ବିଷୟ ପରୀକ୍ଷା କର; 22ଯାହା ଉତ୍ତମ ତାହା ଧରି ରଖ; ସମସ୍ତ ପ୍ରକାର ମନ୍ଦତା ଠାରୁ ପୃଥକ୍ ହୋଇଥାଅ। 23ଶାନ୍ତିଦାତା ଈଶ୍ବର ସ୍ୱୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। 24ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ।

ସୁସମାଚାର

ଯୋହ 1:6–8, 19–28

6ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ। 7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 19ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ, 20ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ। 21ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା। 22ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି? 23ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’” 24ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ। 25ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି? 26ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ; 27ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ। 28ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର