Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 15

ଅର୍ଥୋଡକ୍ସ ପଞ୍ଜିକା · 2 ନଭେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 15 ନଭେମ୍ବର 2026

ରବିବାର · ସ୍ୱର 7

ପର୍ବ ଓ ସନ୍ଥ

ପେଣ୍ଟିକଷ୍ଟ ପରେ 24ତମ ରବିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପ୍ରଭାତୀ ପ୍ରାର୍ଥନାର ଦ୍ୱିତୀୟ ସୁସମାଚାର

ମାର୍କ 16:1–8

1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି। 2ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା। 3ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା। 4ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 6ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। 7କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ। 8ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।

ପତ୍ର

ଏଫି 2:14–22

14କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି, 15ପୁଣି, ବିଧିବିଧାନଯୁକ୍ତ ଆଜ୍ଞାମୂଳକ ବ୍ୟବସ୍ଥାକୁ ଆପଣା ଶରୀରରେ ରହିତ କରିଅଛନ୍ତି, ଯେପରି ସେ ଶାନ୍ତି ସ୍ଥାପନ କରି ଉଭୟକୁ ଆପଣାଠାରେ ଜଣେ ନୂଆ ଲୋକ ସ୍ୱରୂପେ ସୃଷ୍ଟି କରନ୍ତି, 16ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ବରଙ୍କ ସହିତ ମିଳିତ କରାନ୍ତି। 17ଆଉ ତୁମ୍ଭେମାନେ ଯେ ଈଶ୍ବରଙ୍କଠାରୁ ଦୂରରେ ଥିଲ, ଉଭୟଙ୍କ ନିକଟରେ ଖ୍ରୀଷ୍ଟ ଆସି ଶାନ୍ତିର ସୁସମାଚାର ପ୍ରଚାର କଲେ; 18କାରଣ ତାହାଙ୍କ ଦେଇ ଆମ୍ଭେମାନେ ଉଭୟ ଏକ ଆତ୍ମାଙ୍କ ଦ୍ୱାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। 19ଅତଏବ ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ବରଙ୍କ ପରିବାରଭୁକ୍ତ ଅଟ; 20ତୁମ୍ଭେମାନେ ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛ, ଖ୍ରୀଷ୍ଟ ଯୀଶୁ ସ୍ୱୟଂ ସେଥିର କୋଣର ପ୍ରଧାନ ପ୍ରସ୍ତର; 21ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ୱରୂପେ ବୃଦ୍ଧି ପାଉଅଛି; 22ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ବରଙ୍କ ଆତ୍ମାଙ୍କ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ।

ସୁସମାଚାର

ଲୂକ 8:26–39

26ପରେ ସେମାନେ ଗାଲିଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ। 27ସେ ନୌକାରୁ ବାହାରି କୂଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧି-ସ୍ଥାନରେ ରହୁଥିଲା। 28ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଚସ୍ୱରରେ କହିଲା, ହେ ମହାନ ଈଶ୍ବରଙ୍କ ପୁତ୍ର ଯୀଶୁ, ତୁମ୍ଭ ସାଙ୍ଗରେ ମୋହର କଅଣ ଅଛି? ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ କଷ୍ଟ ଦିଅ ନାହିଁ। 29କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ। ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି, ଲୋକେ ତାହାକୁ ଜଞ୍ଜିର ଓ ବେଡ଼ିସବୁ ଦ୍ୱାରା ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା। 30ଯୀଶୁ ତାହାଙ୍କୁ ପଚାରିଲେ, “ତୋର ନାଁ କଅଣ?” ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ। 31ପୁଣି, ସେ ଯେପରି ସେମାନଙ୍କୁ ପାତାଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ। 32ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି, ଯୀଶୁ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବା ପାଇଁ ଅନୁମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କଲେ। 33ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ଘୁଷୁରୀ ପଲ ଅତି ବେଗରେ ପାହାଡ ଉପରୁ ଦୌଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ି ମଲେ। 34ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲୀଗୁଡି଼କରେ ତାହା ଜଣାଇଲେ। 35ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭୟ କଲେ। 36ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୂତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ। 37ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚାରିପାଖରେ ଥିବା ସମସ୍ତ ଲୋକ ସେମାନଙ୍କଠାରୁ ଯିବା ପାଇଁ ତାହାଙ୍କୁ ଅନୁରୋଧ କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ତ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ଫେରିଆସିଲେ। 38କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ଯୀଶୁଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା; 39ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, “ତୁମ୍ଭ ଘରକୁ ଫେରିଯାଅ, ପୁଣି, ଈଶ୍ବର ତୁମ୍ଭ ନିମନ୍ତେ ଯେଉଁ ଯେଉଁ କର୍ମ କରିଅଛନ୍ତି ସେହିସବୁ ବର୍ଣ୍ଣନା କର।” ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେଉଁ ଯେଉଁ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁ ଲାଗିଲା।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 2 ନାଗରିକ ପଞ୍ଜିକାର ନଭେମ୍ବର 15। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର