Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 19

ଅର୍ଥୋଡକ୍ସ ପଞ୍ଜିକା · 6 ଅକ୍ଟୋବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 19 ଅକ୍ଟୋବର 2026

ସୋମବାର · ପେଣ୍ଟିକଷ୍ଟ ପରେ 21ତମ ସପ୍ତାହ · ସ୍ୱର 3

ପର୍ବ ଓ ସନ୍ଥ

Holy and Glorious Apostle Thomas (1st C)

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଫିଲି 4:10–23

10ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା। 11ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। 12ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। 13ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। 14ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ। 15ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ। 16କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ। 17ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ। 18ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। 19ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। 20ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍‍। 21ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 22ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 23ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।

ପତ୍ର (ପ୍ରେରିତ ଥୋମାଙ୍କ ପାଇଁ)

ପ୍ର.କରି 4:9–16

9କାରଣ ମୋହର ମନେ ହୁଏ, ଆମ୍ଭେମାନେ ଯେ ପ୍ରେରିତ, ଆମ୍ଭମାନଙ୍କୁ ଈଶ୍ବର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। 10ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ। 11ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ 12ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, 13ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ। 14ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି। 15କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। 16ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ।

ସୁସମାଚାର

ଲୂକ 6:24–30

24“କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖ ଭୋଗ କରିଅଛ। 25ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଦୁଃଖ ଓ ରୋଦନ କରିବ। 26ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ। 27କିନ୍ତୁ ଶୁଣୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; 28ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। 29ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ବସ୍ତ୍ର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ମନା କର ନାହିଁ। 30ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତ୍ତି ନେଇଯାଏ, ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ।

ସୁସମାଚାର (ପ୍ରେରିତ ଥୋମାଙ୍କ ପାଇଁ)

ଯୋହ 20:19–31

19ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। 21ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।” 22ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। 23ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।” 24କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ। 25ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ। 26ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।” 28ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର। 29ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।” 30ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 6 ନାଗରିକ ପଞ୍ଜିକାର ଅକ୍ଟୋବର 19। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର