Bible Explorer ଆପ୍ ପାଆନ୍ତୁ

ବାଇବେଲ › ଯିଶାଇୟ › 15

IRV · ଅଧ୍ୟାୟ 15 / 66

ଯିଶାଇୟ 15

1ମୋୟାବ ବିଷୟକ ଭବିଷ୍ୟତବାଣୀ। ମୋୟାବର ଆର ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍‍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା।

2ସେ ରୋଦନ କରିବା ପାଇଁ ବୈଥତ୍‍କୁ ଓ ଦୀବୋନ୍‍କୁ, ଉଚ୍ଚସ୍ଥଳୀକି ଯାଇଅଛି; ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; ସେହି ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି।

3ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି।

4ହିଷ୍‍ବୋନ ଓ ଇଲୀୟାଲୀ କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ ପର୍ଯ୍ୟନ୍ତ ଶୁଣା ଯାଉଅଛି; ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି।

5ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ୍‍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି।

6କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ୍‍ବର୍ଣ୍ଣର କିଛି ହିଁ ନାହିଁ।

7ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।

8କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍‍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍‍ ପର୍ଯ୍ୟନ୍ତ ଯାଇଅଛି।

9କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ (IRV, 2019) · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. (ପାଠ ଅପରିବର୍ତ୍ତିତ; ପାଦଟୀକା ଓ ଶୀର୍ଷକ ବାଦ ଦିଆଯାଇଛି) · eBible.org