Bible Explorer ଆପ୍ ପାଆନ୍ତୁ

ବାଇବେଲ › ଯିଶାଇୟ › 4

IRV · ଅଧ୍ୟାୟ 4 / 66

ଯିଶାଇୟ 4

1ସେହି ଦିନ ସାତ ଜଣ ସ୍ତ୍ରୀ ଜଣେ ପୁରୁଷକୁ ଧରି କହିବେ, “ଆମ୍ଭେମାନେ ନିଜ ଅନ୍ନ ଭୋଜନ କରିବୁ ଓ ନିଜ ବସ୍ତ୍ର ପିନ୍ଧିବୁ; କେବଳ ତୁମ୍ଭ ନାମରେ ଆମ୍ଭେମାନେ ଖ୍ୟାତ ହେଉ; ତୁମ୍ଭେ ଆମ୍ଭମାନଙ୍କର ଅପମାନ ଦୂର କର।”

2ସେହି ଦିନ ଇସ୍ରାଏଲ ମଧ୍ୟରେ ବଞ୍ଚିଥିବା ଲୋକମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ଶାଖା ମନୋରମ ଓ ଗୌରବାନ୍ୱିତ ହେବ, ଆଉ ଦେଶର ଫଳ ଉତ୍ତମ ଓ ମନୋହର ହେବ।

3ପୁଣି, ପ୍ରଭୁ ଯେତେବେଳେ ବିଚାରକ ଆତ୍ମା ଓ ଦାହକ ଆତ୍ମା ଦ୍ୱାରା ସିୟୋନର କନ୍ୟାଗଣର ମଳ ଧୌତ କରିବେ ଓ ଯିରୂଶାଲମ ମଧ୍ୟରୁ ତହିଁର ରକ୍ତ ଦୂର କରିଦେବେ;

4ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍‍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।

5ଆଉ, ସଦାପ୍ରଭୁ ସିୟୋନ ପର୍ବତସ୍ଥ ସମୁଦାୟ ଆବାସ ଓ ତାହାର ସକଳ ସଭା ଉପରେ ଦିବସରେ ମେଘ ଓ ଧୂମ ଓ ରାତ୍ରିରେ ପ୍ରଜ୍ୱଳିତ ଅଗ୍ନିର ତେଜ ସୃଷ୍ଟି କରିବେ; କାରଣ ସମୁଦାୟ ପ୍ରତାପ ଉପରେ ଚନ୍ଦ୍ରାତପ ବିସ୍ତୃତ ହେବ।

6ପୁଣି, ଦିବସରେ ଗ୍ରୀଷ୍ମରୁ ଛାୟା ନିମନ୍ତେ, ଆଉ ଝଡ଼ ଓ ବୃଷ୍ଟିରୁ ଆଶ୍ରୟ ଓ ଆଚ୍ଛାଦନ ସ୍ଥାନ ସ୍ୱରୂପ ହେବା ନିମନ୍ତେ ଏକ ଆବାସ ହେବ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ (IRV, 2019) · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. (ପାଠ ଅପରିବର୍ତ୍ତିତ; ପାଦଟୀକା ଓ ଶୀର୍ଷକ ବାଦ ଦିଆଯାଇଛି) · eBible.org