Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 23

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 23 ଡିସେମ୍ବର 2027

ଗୁରୁବାର · ଆଗମନ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

23 ଡିସେମ୍ବର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ବାଇଗଣୀ

କାଣ୍ଟିର ସନ୍ଥ ଜନ୍, ପୁରୋହିତ · ସ୍ମରଣ

ଦିନର ପାଠ

ପ୍ରଥମ ପାଠ

ମଲାଖି 3:1–4; 4:5–6

1“ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍‍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। 2ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ; 3ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ। 4ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ। 4:5ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରେରଣ କରିବା। 6ପୁଣି, ଆମ୍ଭେ ଆସି ଯେପରି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେହି ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ।”

ପ୍ରତିଉତ୍ତର ଗୀତ

ଗୀତ 25:4–5, 8–10, 14

4ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ। 5ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ। 8ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। 9ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। 10ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ। 14ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।

ସୁସମାଚାର

ଲୂକ 1:57–66

57ପରେ ଏଲୀଶାବେଥଙ୍କ ପ୍ରସବ କାଳ ଉପସ୍ଥିତ ହୁଅନ୍ତେ ସେ ଗୋଟିଏ ପୁତ୍ର ପ୍ରସବ କଲେ, 58ଆଉ ପ୍ରଭୁ ଯେ ତାହାଙ୍କ ପ୍ରତି ମହା ଦୟା ପ୍ରକାଶ କରିଅଛନ୍ତି, ଏହା ଶୁଣି ତାହାଙ୍କ ପ୍ରତିବାସୀ ଓ ସମ୍ପର୍କୀୟମାନେ ତାହାଙ୍କ ସହିତ ଆନନ୍ଦ କରିବାକୁ ଲାଗିଲେ। 59ଆଠ ଦିନରେ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ତାହାର ପିତାଙ୍କ ନାମ ଅନୁସାରେ ତାହାର ନାମ ଜିଖରୀୟ ଦେବାକୁ ଇଚ୍ଛା କଲେ। 60କିନ୍ତୁ ତାହାର ମାତା ଉତ୍ତର ଦେଲେ, ନାହିଁ, ତାହାର ନାମ ଯୋହନ ହେବ। 61ସେମାନେ ତାହାଙ୍କୁ କହିଲେ, ତୁମ୍ଭର ସମ୍ପର୍କୀୟମାନଙ୍କ ମଧ୍ୟରେ ତ କାହାର ଏହି ନାମ ନାହିଁ। 62ଏଥିରେ ତାହାକୁ କେଉଁ ନାମ ଦିଆଯିବ ବୋଲି ତାହାର ପିତା ଇଚ୍ଛା କରୁଅଛନ୍ତି, ତାହା ସଙ୍କେତ କରି ପଚାରିବାକୁ ଲାଗିଲେ। 63ତହିଁରେ ସେ ଖଣ୍ଡେ ଲିଖନ ପଟା ମାଗି ଏହା ଲେଖିଲେ, ତାହାର ନାମ ଯୋହନ। ଏଥିରେ ସମସ୍ତେ ଚକିତ ହେଲେ। 64ଆଉ ସେହିକ୍ଷଣି ତାହାଙ୍କ ମୁଖ ଓ ଜିହ୍ୱା ଫିଟିଗଲା ଏବଂ ସେ କଥା କହି ଈଶ୍ବରଙ୍କ ପ୍ରଶଂସା କରିବାକୁ ଲାଗିଲେ। 65ଏଥିରେ ସେମାନଙ୍କ ପ୍ରତିବାସୀ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଏହି ସମସ୍ତ କଥା ଯିହୂଦିୟା ପ୍ରଦେଶର ପାର୍ବତୀୟ ଅଞ୍ଚଳର ସବୁଆଡ଼େ ଲୋକେ କୁହାକହି ହେଲେ, 66ପୁଣି, ଶୁଣିବା ଲୋକ ସମସ୍ତେ ସେହିସବୁ ଆପଣା ଆପଣା ହୃଦୟରେ ରଖି କହିଲେ, ଏ ଶିଶୁଟି ତେବେ କଅଣ ହେବ? କାରଣ ପ୍ରଭୁଙ୍କ ହସ୍ତ ତାହାର ସହବର୍ତ୍ତୀ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର