ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 23
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 23 ନଭେମ୍ବର 2027
ମଙ୍ଗଳବାର · ସାଧାରଣ କାଳର 34ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 34ତମ ସପ୍ତାହର ମଙ୍ଗଳବାର
ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ
ସନ୍ଥ କ୍ଲେମେଣ୍ଟ ପ୍ରଥମ, ପୋପ୍ ଓ ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ
ସନ୍ଥ କଲମ୍ବାନ୍, ମଠାଧ୍ୟକ୍ଷ · ଇଚ୍ଛାଧୀନ ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
31ହେ ମହାରାଜ, ଆପଣ ଦେଖୁ ଦେଖୁ ଏକ ପ୍ରକାଣ୍ଡ ପ୍ରତିମା ଦେଖିଲେ, ଅତି ବିକ୍ରମୀ ଓ ଅତିଶୟ ତେଜୋବିଶିଷ୍ଟ ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା। 32ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ, ତାହାର ଉଦର ଓ ଜଙ୍ଘ ପିତ୍ତଳମୟ, 33ତାହାର ଚରଣ ଲୌହମୟ ଓ ତାହାର ପାଦର କିଛି ଅଂଶ ଲୌହମୟ, କିଛି ମୃତ୍ତିକାମୟ ଥିଲା। 34ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତ ବିନା ଚ୍ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲା। 35ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗା ଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା; ଆଉ, ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ; ପୁଣି, ସେହି ପ୍ରତିମାକୁ ଆଘାତ କଲା ଯେଉଁ ପ୍ରସ୍ତର, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା। 36ସ୍ୱପ୍ନଟି ଏହି; ଏବେ ଆମ୍ଭେମାନେ ମହାରାଜାଙ୍କ ଛାମୁରେ ତହିଁର ଅର୍ଥ ଜଣାଇବୁ। 37ହେ ମହାରାଜ, ଆପଣ ରାଜାଧିରାଜ; ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। 38ଆଉ, ଯେକୌଣସି ସ୍ଥାନରେ ମନୁଷ୍ୟ-ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି; ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। 39ପୁଣି, ଆପଣଙ୍କ ଉତ୍ତାରେ ଆପଣଙ୍କଠାରୁ ନ୍ୟୂନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। 40ପୁଣି, ଚତୁର୍ଥ ରାଜ୍ୟ ଲୌହ ତୁଲ୍ୟ ଦୃଢ଼ ହେବ; କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ୍ତ କରେ ଓ ଲୌହ ଯେପରି ଏହିସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ। 41ଆହୁରି, ଆପଣ ଯେପରି ଦେଖିଲେ ଯେ, ପାଦ ଓ ପାଦର ଅଙ୍ଗୁଳି କିଛି କୁମ୍ଭକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ; ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। 42ପୁଣି, ପାଦର ଅଙ୍ଗୁଳିସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ। 43ଆଉ, ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ; ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ତଦ୍ରୂପ ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ। 44ପୁଣି, ସେହି ରାଜାଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାପି ବିନଷ୍ଟ ହେବ ନାହିଁ, କିଅବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ; ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। 45କାରଣ ପର୍ବତରୁ ହସ୍ତ ବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ; ଯାହା ଏଥିଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇଅଛନ୍ତି; ପୁଣି, ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ।”
ପ୍ରତିଉତ୍ତର ଗୀତ
ଏହି ଅନୁବାଦରେ ନାହିଁ
ସୁସମାଚାର
5ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ, 6“ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ।” 7ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ? 8ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ। 9ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ।” 10ତାହା ପରେ ସେ ସେମାନଙ୍କୁ କହିଲେ, “ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ, 11ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।
ଆଜିର ସନ୍ଥ
- ସନ୍ଥ କ୍ଲେମେଣ୍ଟ ପ୍ରଥମ, ପୋପ୍ ଓ ଶହୀଦ
- ସନ୍ଥ କଲମ୍ବାନ୍, ମଠାଧ୍ୟକ୍ଷ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର