ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 5
ଅର୍ଥୋଡକ୍ସ ପଞ୍ଜିକା · 23 ଅକ୍ଟୋବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 5 ନଭେମ୍ବର 2027
ଶୁକ୍ରବାର · ପେଣ୍ଟିକଷ୍ଟ ପରେ 20ତମ ସପ୍ତାହ · ସ୍ୱର 2
ପର୍ବ ଓ ସନ୍ଥ
Holy Apostle James, the Brother of the Lord († ca.63)
ଉପବାସ ଦିନ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
8ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ, 9ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ, 10ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ, 11ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। 12ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି। 13ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, 14ପଶ୍ଚାତ୍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। 15ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ; 16କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ। 17ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର। 18କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ; 19ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।
ପତ୍ର (ସନ୍ଥ ଯାକୁବଙ୍କ ପାଇଁ)
11କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋʼ ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁସାରେ ନୁହେଁ; 12ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି। 13ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚରଣ ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ବରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି, 14ଆଉ, ମୋହର ପିତୃ-ପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି। 15କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ, 16ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋʼ ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟଠାରୁ କୌଣସି ପରାମର୍ଶ ନ ନେଇ 17କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମ ସହରକୁ ନ ଯାଇ ସେହିକ୍ଷଣି ଆରବ ଦେଶକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେଶକ ସହରକୁ ବାହୁଡ଼ି ଆସିଲି। 18ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମ ସହରକୁ ଗଲି ଓ ତାହାଙ୍କ ସହିତ ପନ୍ଦର ଦିନ ରହିଲି। 19କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।
ସୁସମାଚାର
1ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ। 2ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର। 3ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି। 4ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ। 5ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ। 6ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ। 7ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ। 8ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, 9ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ। 10କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, 11ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ। 12ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।” 13“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ। 14ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ। 15ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
ସୁସମାଚାର (ସନ୍ଥ ଯାକୁବଙ୍କ ପାଇଁ)
54ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା? 55ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ? 56ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା? 57ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।” 58ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 23 ନାଗରିକ ପଞ୍ଜିକାର ନଭେମ୍ବର 5। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର