Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଅକ୍ଟୋବର 2027

ମଙ୍ଗଳବାର · ସାଧାରଣ କାଳର 28ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 28ତମ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ରୋମୀ 1:16–25

16କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ବିଶ୍ୱାସ କରୁଥିବା ପ୍ରତ୍ୟେକଙ୍କ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ୍‍ ପକ୍ଷରେ। 17ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।” 18କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ବରଙ୍କ କ୍ରୋଧ ପ୍ରକାଶିତ ହେଉଅଛି 19ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। 20ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ, ଅର୍ଥାତ୍‍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ବରତ୍ତ୍ୱ, ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନ ଥାଏ। 21କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା; 22ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ, 23ପୁଣି, ଅକ୍ଷୟ ଈଶ୍ବରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦିଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ। 24ଏଣୁ ଈଶ୍ବର ସେମାନଙ୍କ ହୃଦୟର କୁଅଭିଳାଷ ଅନୁସାରେ ସେମାନଙ୍କୁ ଅଶୁଚିତାରେ ସମର୍ପଣ କଲେ, ଯେପରି ସେମାନଙ୍କ ଶରୀର ପରସ୍ପର ଦ୍ୱାରା କଳୁଷିତ ହୁଏ। 25କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍।

ପ୍ରତିଉତ୍ତର ଗୀତ

ଗୀତ 19:1–4

1ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ; ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। 2ଦିବସ ଦିବସ ପ୍ରତି ବାକ୍ୟ ଉଚ୍ଚାରଣ କରେ ଓ ରାତ୍ରି ରାତ୍ରି ପ୍ରତି ଜ୍ଞାନ ପ୍ରକାଶ କରେ। 3କୌଣସି ବାକ୍ୟ କି ଭାଷା ନ ଥାଏ; ସେମାନଙ୍କ ରବ ଶୁଣାଯାଇ ନ ପାରେ। 4ତଥାପି ସେମାନଙ୍କର ରଜ୍ଜୁ ସମୁଦାୟ ପୃଥିବୀରେ ଓ ସେମାନଙ୍କର ବାକ୍ୟ ଜଗତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ। ସେମାନଙ୍କ ମଧ୍ୟରେ ସେ ସୂର୍ଯ୍ୟ ନିମନ୍ତେ ଏକ ଆବାସ ସ୍ଥାପନ କରିଅଛନ୍ତି,

ସୁସମାଚାର

ଲୂକ 11:37–41

37ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। 38କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ। 39ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ। 40ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ? 41ବରଂ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର