Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 30

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 30 ଜୁନ 2027

ବୁଧବାର · ସାଧାରଣ କାଳର 13ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 13ତମ ସପ୍ତାହର ବୁଧବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ପବିତ୍ର ରୋମୀୟ ମଣ୍ଡଳୀର ପ୍ରଥମ ଶହୀଦମାନେ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଆଦି 21:5, 8–20

5ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍‌ହାକ ଜାତ ହେଲା। 8ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍‌ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ। 9ଏଥିଉତ୍ତାରେ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି। 10ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍‌ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।” 11ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। 12ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍‌ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ। 13ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା।” 14ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍‍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା। 15ପୁଣି, କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା। 16ପୁଣି, ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, “ବାଳକର ମରଣ ମୁଁ ଦେଖିବି ନାହିଁ।” ପୁଣି, ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା। 17ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ; ପୁଣି, ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, “ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ, ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି। 18ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।” 19ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା। 20ଏଥିଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି, ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା।

ପ୍ରତିଉତ୍ତର ଗୀତ

ଗୀତ 34:6–7, 9–12

6ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ। 7ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି। 9ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର; କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ। 10ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ; ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ। 11ହେ ବାଳକମାନେ, ଆସ, ମୋʼ କଥା ଶୁଣ; ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି। 12ଯେ ଜୀବନ ବାଞ୍ଛା କରେ ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ?

ସୁସମାଚାର

ମାଥି 8:28–34

28ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ। 29ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ? 30ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା। 31ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ। 32ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ। 33ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ। 34ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର