Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 4

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 4 ଜୁନ 2027

ଶୁକ୍ରବାର · ସାଧାରଣ କାଳର ନବମ ସପ୍ତାହ

ପର୍ବ ଓ ସନ୍ଥ

ଯୀଶୁଙ୍କ ପରମ ପବିତ୍ର ହୃଦୟ

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ହୋଶେ 11:1, 3–4, 8–9

1ଇସ୍ରାଏଲର ବାଲ୍ୟକାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିସରରୁ ଡାକିଲୁ। 3ତଥାପି ଆମ୍ଭେ ଇଫ୍ରୟିମକୁ ଚାଲିବା ପାଇଁ ଶିଖାଇଲୁ; ଆମ୍ଭେ ସେମାନଙ୍କୁ ଆପଣା ବାହୁରେ ବୋହିଲୁ; ମାତ୍ର ଆମ୍ଭେ ଯେ ସେମାନଙ୍କୁ ସୁସ୍ଥ କଲୁ, ଏହା ସେମାନେ ଜାଣିଲେ ନାହିଁ। 4ଆମ୍ଭେ ମନୁଷ୍ୟର ବନ୍ଧନୀ, ଅର୍ଥାତ୍‍, ପ୍ରେମରଜ୍ଜୁ ଦ୍ୱାରା ସେମାନଙ୍କୁ ଆକର୍ଷଣ କଲୁ ଓ ଆମ୍ଭେ ସେମାନଙ୍କ କଳପାଟିରୁ ଯୁଆଳି ଉଠାଇ ନେବା ଲୋକ ତୁଲ୍ୟ ହେଲୁ ଓ ଆମ୍ଭେ ସେମାନଙ୍କ ଆଗରେ ଖାଦ୍ୟ ରଖିଲୁ। 8ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି। 9ଆମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତା ସଫଳ କରିବା ନାହିଁ, ଆମ୍ଭେ ଇଫ୍ରୟିମକୁ ବିନାଶ କରିବା ପାଇଁ ଫେରିବା ନାହିଁ; କାରଣ ଆମ୍ଭେ ପରମେଶ୍ୱର ଅଟୁ; ମନୁଷ୍ୟ ନୋହୁଁ; ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ଧର୍ମସ୍ୱରୂପ ଅଟୁ; ଆମ୍ଭେ ନଗର ମଧ୍ୟରେ ପ୍ରବେଶ କରିବା ନାହିଁ।

ପ୍ରତିଉତ୍ତର ଗୀତ

ଯିଶା 12:2–6

2ଦେଖ, “ପରମେଶ୍ୱର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ୱାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବାଃ ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି।” 3ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4ପୁଣି, ସେହି ଦିନରେ ତୁମ୍ଭେମାନେ କହିବ, “ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର। 5ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚସ୍ୱର କରି ଆନନ୍ଦଧ୍ୱନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ୱରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି।”

ଦ୍ୱିତୀୟ ପାଠ

ଏଫି 3:8–12, 14–19

8ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମ ଯେ ମୁଁ, ମୋତେ ଅଣଯିହୁଦୀମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ, 9ପୁଣି, ସର୍ବସୃଷ୍ଟିକର୍ତ୍ତା ଈଶ୍ବରଙ୍କଠାରେ ପ୍ରାଚୀନକାଳରୁ ଗୁପ୍ତ ହୋଇ ରହିଥିବା ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କଅଣ, ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି, 10ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ, 11ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ, ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ; 12ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ତାହାଙ୍କଠାରେ ସାହସ ପୁଣି, ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ। 14ଏଥିନିମନ୍ତେ ଯେଉଁ ପିତାଙ୍କଠାରୁ ସ୍ୱର୍ଗ ଓ ପୃଥିବୀସ୍ଥ ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ, 15ତାହାଙ୍କ ଛାମୁରେ ମୁଁ ଆଣ୍ଠୁପାତି ପ୍ରାର୍ଥନା କରୁଅଛି, 16ଯେପରି ସେ ଆପଣା ଗୌରବରୂପ ଧନ ଅନୁସାରେ ଆପଣା ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହେବାକୁ ଦିଅନ୍ତି, 17ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି, 18ଯେପରି ତୁମ୍ଭେମାନେ ପ୍ରେମରେ ବଦ୍ଧମୂଳ ଓ ଦୃଢ ରୂପେ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହୁଅ ଏବଂ ସମସ୍ତ ସାଧୁଙ୍କ ସହିତ ସେଥିର ଦୈର୍ଘ୍ୟ ଓ ପ୍ରସ୍ଥ, ଉଚ୍ଚତା ଓ ଗଭୀରତା ବୁଝିବାକୁ ଶକ୍ତି ପ୍ରାପ୍ତ ହୁଅ, 19ଆଉ ସେହି ପ୍ରକାରେ ଈଶ୍ବରଙ୍କ ସମସ୍ତ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହୁଅ।

ସୁସମାଚାର

ଯୋହ 19:31–37

31ସେହି ଦିନ ଆୟୋଜନ ଦିନ ଥିବାରୁ, ଶରୀରଗୁଡ଼ିକ ଯେପରି ବିଶ୍ରାମବାର ଦିନରେ କ୍ରୁଶ ଉପରେ ନ ରହେ (କାରଣ ସେହି ବିଶ୍ରାମବାର ମହାଦିନ ଥିଲା), ସେଥିପାଇଁ ସେମାନଙ୍କ ଗୋଡ଼ ଭଙ୍ଗାଯାଉ ଓ ସେମାନେ ଅନ୍ୟ ସ୍ଥାନକୁ ନିଆଯାଆନ୍ତୁ ବୋଲି ଯିହୁଦୀମାନେ ପୀଲାତଙ୍କୁ ଅନୁରୋଧ କଲେ। 32ଅତଏବ, ସୈନ୍ୟମାନେ ଆସି ପ୍ରଥମ ଜଣକର ଗୋଡ଼ ଓ ତାହା ସହିତ ଯେଉଁ ଜଣକ କ୍ରୁଶରେ ଚଢ଼ାଯାଇଥିଲା, ତାହାର ଗୋଡ଼ ମଧ୍ୟ ଭାଙ୍ଗି ଦେଲେ। 33ମାତ୍ର ସେମାନେ ଯୀଶୁଙ୍କ ନିକଟକୁ ଆସି ସେ ମରିଗଲେଣି ବୋଲି ଦେଖି ତାହାଙ୍କ ଗୋଡ଼ ଭାଙ୍ଗିଲେ ନାହିଁ, 34କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିନ୍ଧିଲା, ଆଉ ତତ୍‍କ୍ଷଣାତ୍‍ ରକ୍ତ ଓ ଜଳ ବାହାର ହେଲା। 35ଯେ ଦେଖିଅଛି, ସେ ସାକ୍ଷ୍ୟ ଦେଇଅଛି, ଯେପରି ତୁମ୍ଭେମାନେ ମଧ୍ୟ ବିଶ୍ୱାସ କର; ପୁଣି, ତାହାର ସାକ୍ଷ୍ୟ ସତ୍ୟ, ଆଉ ସେ ଯେ ସତ୍ୟ କହୁଅଛି, ଏହା ସେ ଜାଣନ୍ତି। 36କାରଣ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେବା ନିମନ୍ତେ ଏସମସ୍ତ ବିଷୟ ଘଟିଲା, ତାହାଙ୍କର ଖଣ୍ଡେ ଅସ୍ଥି ଭଗ୍ନ ହେବ ନାହିଁ। 37ପୁନର୍ବାର ଧର୍ମଶାସ୍ତ୍ରର ଆଉ ଗୋଟିଏ ବାକ୍ୟ ଏହି, ସେମାନେ ଯାହାଙ୍କୁ ବିଦ୍ଧ କଲେ, ତାହାଙ୍କ ପ୍ରତି ଦୃଷ୍ଟିପାତ କରିବେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର