ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 3
ଅର୍ଥୋଡକ୍ସ ପଞ୍ଜିକା · 21 ମଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 3 ଜୁନ 2027
ଗୁରୁବାର · ପାସ୍କାର ପଞ୍ଚମ ସପ୍ତାହ · ସ୍ୱର 4
ପର୍ବ ଓ ସନ୍ଥ
Meeting of the Vladimir Icon of the Mother of God (established in memory of the deliverance of Moscow from the Tatar invasion led by Crimean Khan Makhmet-Girei in 1521)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
22ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ; 23“ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ; 27ମାତ୍ର, ପରମେଶ୍ୱର କʼଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋʼ ନିର୍ମିତ ଏହି ଗୃହ କʼଣ ପାରିବ? 28ତଥାପି, ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର; 29ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ। 30ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।
ସନ୍ଧ୍ୟା ପ୍ରାର୍ଥନା: ପାଠ
10ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି; ମୋର ପ୍ରାଣ ମୋʼ ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ ଓ କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ବସ୍ତ୍ରାନ୍ୱିତ କରିଅଛନ୍ତି ଓ ଧର୍ମରୂପ ରାଜବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି। 11କାରଣ ଭୂମି ଯେପରି ଆପଣା ଅଙ୍କୁର ବାହାର କରେ ଓ ଉଦ୍ୟାନ ଯେପରି ଆପଣା ମଧ୍ୟରେ ବୁଣାଯିବା ପଦାର୍ଥସବୁ ଅଙ୍କୁରିତ କରେ, ସେହିପରି ପ୍ରଭୁ ସଦାପ୍ରଭୁ ସମଗ୍ର ଦେଶୀୟମାନଙ୍କ ସାକ୍ଷାତରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ। 62:1ଯେପର୍ଯ୍ୟନ୍ତ ସିୟୋନର ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ପ୍ରକଟ ନ ହୁଏ, ସେପର୍ଯ୍ୟନ୍ତ ଆମ୍ଭେ ତାହା ନିମନ୍ତେ ନୀରବ ହେବା ନାହିଁ ଓ ଯିରୂଶାଲମ ନିମନ୍ତେ ବିଶ୍ରାମ କରିବା ନାହିଁ। 2ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ସକଳ ରାଜା ତୁମ୍ଭର ପ୍ରତାପ ଦେଖିବେ; ଆଉ, ତୁମ୍ଭେ ସଦାପ୍ରଭୁଙ୍କ ମୁଖ ଦ୍ୱାରା ଏକ ନୂତନ ନାମରେ ଖ୍ୟାତ ହେବ। 3ଆହୁରି, ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭ ପରମେଶ୍ୱରଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ। 4ତୁମ୍ଭେ ପରିତ୍ୟକ୍ତା ବୋଲି ଆଉ ନାମ ପାଇବ ନାହିଁ, କିଅବା ତୁମ୍ଭର ଦେଶ ଅନାଥା ବୋଲି ଆଉ ଡକାଯିବ ନାହିଁ; ମାତ୍ର ତୁମ୍ଭେ ହିପ୍ସୀବା (ସନ୍ତୋଷଜନିକା) ଓ ତୁମ୍ଭର ଦେଶ ବୀୟଲା (ବିବାହିତା) ନାମରେ ଖ୍ୟାତ ହେବ; କାରଣ ସଦାପ୍ରଭୁ ତୁମ୍ଭଠାରେ ସନ୍ତୋଷ ପାଆନ୍ତି ଓ ତୁମ୍ଭ ଦେଶ ବିବାହିତା ହେବ। 5ଯୁବା ଲୋକ ଯେପରି କୁମାରୀକୁ ବିବାହ କରେ, ସେହିପରି ତୁମ୍ଭର ପୁତ୍ରଗଣ ତୁମ୍ଭକୁ ବିବାହ କରିବେ; ପୁଣି ବର ଯେପରି କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। 2କାରଣ, ଦେଖ, ଅନ୍ଧକାର ପୃଥିବୀକୁ ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। 3ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। 4ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେମାନେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି; ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ବାହୁରେ ଅଣାଯିବେ। 5ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। 6ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେହି ସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ, କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ। 7କେଦାରର ସମଗ୍ର ମେଷପଲ ତୁମ୍ଭ ନିକଟରେ ଏକତ୍ରୀକୃତ ହେବେ, ନବାୟୋତ୍ର ମେଷଗଣ ତୁମ୍ଭର ପରିଚର୍ଯ୍ୟା କରିବେ; ସେମାନେ ସୁଗ୍ରାହ୍ୟ ହୋଇ ଆମ୍ଭ ଯଜ୍ଞବେଦିର ଉପରକୁ ଆସିବେ, ପୁଣି ଆମ୍ଭେ ଆପଣାର ଭୂଷଣ ସ୍ୱରୂପ ଗୃହକୁ ଭୂଷିତ କରିବା। 8ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ? 9ନିଶ୍ଚୟ ଦ୍ୱୀପସମୂହ ଆମ୍ଭର ଅପେକ୍ଷା କରିବେ, ପୁଣି ତର୍ଶୀଶର ଜାହାଜସକଳ ଅଗ୍ରଗାମୀ ହୋଇ ଆପଣା ଆପଣା ସଙ୍ଗରେ ସେମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭ ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ନିମନ୍ତେ ଆସିବେ, କାରଣ ସେ ତୁମ୍ଭକୁ ଶୋଭିତ କରିଅଛନ୍ତି। 10ପୁଣି, ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ସେମାନଙ୍କର ରାଜାଗଣ ତୁମ୍ଭର ପରିଚର୍ଯ୍ୟା କରିବେ; କାରଣ ଆମ୍ଭେ ଆପଣା କୋପରେ ତୁମ୍ଭକୁ ପ୍ରହାର କଲୁ, ମାତ୍ର ଆପଣା ଅନୁଗ୍ରହରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିଅଛୁ। 11ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜାଗଣ ବନ୍ଦୀ ହୋଇ ଯେପରି ତୁମ୍ଭ ନିକଟକୁ ଅଣାଯିବେ, ଏଥିପାଇଁ ତୁମ୍ଭ ନଗରର ଦ୍ୱାରସକଳ ନିରନ୍ତର ମୁକ୍ତ ଥିବ, ଦିବାରାତ୍ର ସେହି ସବୁ ବନ୍ଦ ହେବ ନାହିଁ। 12କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ, ତାହା ବିନଷ୍ଟ ହେବ, ହଁ, ସେହି ଦେଶସକଳ ନିଃଶେଷ ରୂପେ ଧ୍ୱଂସିତ ହେବ। 13ଲିବାନୋନର ଗୌରବ ତୁମ୍ଭ ନିକଟକୁ ଆସିବ, ଦେବଦାରୁ, ତିଧର, ତାଶୂର ବୃକ୍ଷ ଏକତ୍ର ହୋଇ ଆମ୍ଭର ପବିତ୍ର ସ୍ଥାନ ସୁଶୋଭିତ କରିବା ପାଇଁ ଆସିବେ, ପୁଣି ଆମ୍ଭେ ଆପଣା ପାଦପୀଠର ସ୍ଥାନ ଗୌରବାନ୍ୱିତ କରିବା। 14ଆଉ, ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ, ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ, ସେମାନେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ; ଆଉ, ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ, ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ ବୋଲି ସମ୍ବୋଧନ କରିବେ। 15ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ ପରମ୍ପରାର ଆନନ୍ଦ ସ୍ୱରୂପ କରିବା। 16ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର (ଈଶ୍ବରଙ୍କ ମାତାଙ୍କ ଭ୍ଲାଦିମିର୍ ଆଇକନ୍ ପାଇଁ)
39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, 40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ। 41ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ 42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ। 43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା? 44କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। 45ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ। 46ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, 47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 56ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
ପତ୍ର
20ମାତ୍ର ଶିଷ୍ୟମାନେ ତାହାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ସହର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ। 21ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ, 22ପୁଣି, ସେ ସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। 23ଆଉ ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ୱାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ। 24ପରେ ସେମାନେ ପିସିଦିଆ ଦେଶ ମଧ୍ୟ ଦେଇ ପଂଫୂଲିଆ ଦେଶକୁ ଆସିଲେ, 25ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ। 26ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ବରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେ ସ୍ଥାନରୁ ବାହାରିଥିଲେ। 27ସେମାନେ ପହଞ୍ଚି ମଣ୍ଡଳୀକୁ ଏକତ୍ର କଲେ, ପୁଣି, ଈଶ୍ବର ସେମାନଙ୍କ ସାଙ୍ଗରେ ଥାଇ ଯେ ସମସ୍ତ କାର୍ଯ୍ୟ କରିଥିଲେ ଓ ଅଣଯିହୁଦୀମାନଙ୍କ ପ୍ରତି ବିଶ୍ୱାସର ଦ୍ୱାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।
ପତ୍ର (ସନ୍ଥମାନଙ୍କ ପାଇଁ)
11କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋʼ ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁସାରେ ନୁହେଁ; 12ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି। 13ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚରଣ ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ବରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି, 14ଆଉ, ମୋହର ପିତୃ-ପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି। 15କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ, 16ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋʼ ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟଠାରୁ କୌଣସି ପରାମର୍ଶ ନ ନେଇ 17କିଅବା ମୋʼ ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମ ସହରକୁ ନ ଯାଇ ସେହିକ୍ଷଣି ଆରବ ଦେଶକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେଶକ ସହରକୁ ବାହୁଡ଼ି ଆସିଲି। 18ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମ ସହରକୁ ଗଲି ଓ ତାହାଙ୍କ ସହିତ ପନ୍ଦର ଦିନ ରହିଲି। 19କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।
ପତ୍ର (ଈଶ୍ବରଙ୍କ ମାତାଙ୍କ ଭ୍ଲାଦିମିର୍ ଆଇକନ୍ ପାଇଁ)
5ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ; 6ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, 7କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ; 8ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। 9ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, 10ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ, 11ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
ସୁସମାଚାର
39ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।” 40ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ? 41ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।” 10:1“ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ। 3ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ। 4ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।” 6ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ। 7ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର। 8ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ। 9ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
ସୁସମାଚାର (ସନ୍ଥମାନଙ୍କ ପାଇଁ)
1“ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ସ୍ଥାନରେ ଚଢ଼ି ପ୍ରବେଶ କରେ, ସେ ଚୋର ଓ ଡକାଇତ; 2କିନ୍ତୁ ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ। 3ଦ୍ୱାରୀ ତାହା ନିମନ୍ତେ ଦ୍ୱାର ଫିଟାଇଦିଏ, ପୁଣି, ମେଷଗୁଡ଼ିକ ତାହାର ସ୍ୱର ଶୁଣନ୍ତି, ଆଉ ସେ ନିଜର ମେଷସବୁକୁ ନାମ ଧରି ଡାକି ବାହାର କରି ଘେନିଯାଏ। 4ସେ ନିଜର ମେଷସବୁକୁ ବାହାର କଲା ଉତ୍ତାରେ ସେମାନଙ୍କ ଆଗେ ଆଗେ ଚାଲେ ଓ ମେଷଗୁଡ଼ିକ ତାହାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାହାର ସ୍ୱର ଚିହ୍ନନ୍ତି; 5କିନ୍ତୁ ସେମାନେ ଅଚିହ୍ନା ଲୋକର ପଛେ ପଛେ କେବେ ହେଁ ଚାଲିବେ ନାହିଁ, ମାତ୍ର ତାହା ପାଖରୁ ପଳାଇଯିବେ, କାରଣ ସେମାନେ ଅଚିହ୍ନା ଲୋକମାନଙ୍କର ସ୍ୱର ଚିହ୍ନନ୍ତି ନାହିଁ।” 6ଯୀଶୁ ସେମାନଙ୍କୁ ଏହି ଉପମା କହିଲେ, କିନ୍ତୁ ସେ ସେମାନଙ୍କୁ ଯାହା ଯାହା କହୁଥିଲେ, ସେହିସବୁ କଅଣ ବୋଲି ସେମାନେ ବୁଝିଲେ ନାହିଁ। 7ତେଣୁ ଯୀଶୁ ପୁନର୍ବାର କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମୁଁ ମେଷଗୁଡ଼ିକର ଦ୍ୱାର। 8ଯେତେ ଜଣ ମୋʼ ପୂର୍ବରେ ଆସିଅଛନ୍ତି, ସେମାନେ ସମସ୍ତେ ଚୋର ଓ ଡକାଇତ, କିନ୍ତୁ ମେଷସବୁ ସେମାନଙ୍କ କଥା ଶୁଣିଲେ ନାହିଁ। 9ମୁଁ ଦ୍ୱାର, ଯଦି କେହି ମୋʼ ଦେଇ ପ୍ରବେଶ କରେ, ତାହାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ।
ସୁସମାଚାର (ଈଶ୍ବରଙ୍କ ମାତାଙ୍କ ଭ୍ଲାଦିମିର୍ ଆଇକନ୍ ପାଇଁ)
38ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ। 39ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। 40କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। 41କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, 42କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।” 11:27ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ। 28ମାତ୍ର ସେ କହିଲେ, “ନା, ବରଂ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 21 ନାଗରିକ ପଞ୍ଜିକାର ଜୁନ 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର