Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 15

ଅର୍ଥୋଡକ୍ସ ପଞ୍ଜିକା · 2 ଫେବୃଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 15 ଫେବୃଆରୀ 2027

ସୋମବାର · ପେଣ୍ଟିକଷ୍ଟ ପରେ 38ତମ ସପ୍ତାହ · ସ୍ୱର 4

ପର୍ବ ଓ ସନ୍ଥ

On this day we observe the Meeting of our Lord, God, and Saviour Jesus Christ

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 12; ଯାତ୍ରା 13; ଗଣ 8; ଲେବୀ 12 (ବଛାଯାଇଥିବା ପଦ)

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 6:1–12

1ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। 2ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। 3ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।” 4ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା। 5ତେବେ ମୁଁ କହିଲି, “ହାୟ ହାୟ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି!” 6ଏଥିଉତ୍ତାରେ ସେହି ସରାଫଗଣ ମଧ୍ୟରୁ ଏକ ଜଣ ମୋʼ ନିକଟକୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା, ସେ ଯଜ୍ଞବେଦିରୁ ଚିମୁଟା ଦ୍ୱାରା ତାହା ନେଇଥିଲେ; 7ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।” 8ଏଥିଉତ୍ତାରେ “ମୁଁ କାହାକୁ ପଠାଇବି? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।” 9ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ‘ତୁମ୍ଭେମାନେ ଶୁଣୁଅଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଅଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।’ 10ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରୀ କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ।” 11ତେବେ ମୁଁ ପଚାରିଲି, “ହେ ପ୍ରଭୋ, କେତେ କାଳ ଯାଏ?” ତହିଁରେ ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ, 12ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 19:1, 3–5, 12, 16, 19–21

1ମିସର ବିଷୟକ ଭବିଷ୍ୟତବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ। 3ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ। 4ଆଉ, ଆମ୍ଭେ ମିସରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। 5ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ। 12ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ। 16ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ। 19ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ। 20ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ୱରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ। 21ପୁଣି, ମିସରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ସେହି ଦିନ ମିସରୀୟମାନେ ସଦାପ୍ରଭୁଙ୍କୁ ଜାଣିବେ; ଆହୁରି, ସେମାନେ ବଳି ଓ ନୈବେଦ୍ୟ ଦେଇ ଆରାଧନା କରିବେ ଓ ସଦାପ୍ରଭୁଙ୍କ ନିକଟରେ ମାନତ କରି ତାହା ପୂର୍ଣ୍ଣ କରିବେ।

ପ୍ରଭାତୀ ପ୍ରାର୍ଥନା: ସୁସମାଚାର

ଲୂକ 2:25–32

25ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। 26ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। 27ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ, 29“ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; 30କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, 31ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି, 32ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।”

ପତ୍ର (ପ୍ରଭୁଙ୍କ ସହିତ ଭେଟ ପାଇଁ)

ଏବ୍ରୀ 7:7–17

7ସାନ ଯେ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ, ଏହା ସ୍ୱୀକାର୍ଯ୍ୟ। 8ଏ ସ୍ଥଳରେ ମର୍ତ୍ତ୍ୟ ମନୁଷ୍ୟମାନେ ଦଶମାଂଶ ଗ୍ରହଣ କରିଥାଆନ୍ତି, କିନ୍ତୁ ସେ ସ୍ଥଳରେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ବିଷୟରେ ସାକ୍ଷ୍ୟ ଦିଆଯାଏ ଯେ, ସେ ଅମର। 9ପୁଣି, କହିବାକୁ ଗଲେ ଯେଉଁ ଲେବୀ ଦଶମାଂଶ ଗ୍ରହଣ କରନ୍ତି, ସେ ମଧ୍ୟ ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି; 10କାରଣ ଅବ୍ରହାମଙ୍କ ସହିତ ମଲ୍‍କୀଷେଦକ ସାକ୍ଷାତ କରିବା ସମୟରେ ଲେବୀ ଜନ୍ମ ହୋଇ ନ ଥିଲେ। 11ଆହୁରି ମଧ୍ୟ, ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, ତାହାହେଲେ ହାରୋଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍‍କୀଷେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କଅଣ ଆବଶ୍ୟକ ଥିଲା? 12କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ମୋଶାଙ୍କ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। 13ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦିର କର୍ମ କରି ନାହାନ୍ତି। 14କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ୱ ସମ୍ବନ୍ଧରେ ମୋଶା କିଛି କହି ନାହାନ୍ତି। 15ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍‍କୀଷେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି, 16ସେ ଶାରୀରିକ ବ୍ୟବସ୍ଥାନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି। 17କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ।”

ସୁସମାଚାର (ପ୍ରଭୁଙ୍କ ସହିତ ଭେଟ ପାଇଁ)

ଲୂକ 2:22–40

22ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, 23ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ, 24ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ। 25ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। 26ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। 27ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ, 29“ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; 30କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, 31ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି, 32ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।” 33ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ। 34ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ, 35ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍‌ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ। 36ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। 37ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ। 38ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। 39ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ। 40ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଫେବୃଆରୀ 2 ନାଗରିକ ପଞ୍ଜିକାର ଫେବୃଆରୀ 15। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର