ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 17
ଅର୍ଥୋଡକ୍ସ ପଞ୍ଜିକା · 4 ଡିସେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 17 ଡିସେମ୍ବର 2026
ଗୁରୁବାର · ପେଣ୍ଟିକଷ୍ଟ ପରେ 29ତମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Great Martyr Barbara and Martyr Juliana, at Heliopolis in Syria († c. 306)
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
1ଏହି ମଲ୍କୀଷେଦକ ଶାଲେମର ରାଜା ଓ ପରାତ୍ପର ଈଶ୍ବରଙ୍କ ଯାଜକ ଥିଲେ। ସେ ଅବ୍ରହାମ, ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ, ସେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ; 2ଅବ୍ରହାମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ଧର୍ମରାଜା, ଦ୍ୱିତୀୟ, ଶାଲେମର ରାଜା, ଅର୍ଥାତ୍, ଶାନ୍ତିରାଜା। 3ଏହାଙ୍କର ପିତା କି ମାତା କି ବଂଶାବଳୀର କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ବରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି। 4ଭାବି ଦେଖ, ଏହି ବ୍ୟକ୍ତି କିପରି ମହାନ। ପିତୃକୁଳପତି ଅବ୍ରହାମ ତାହାଙ୍କୁ ଯୁଦ୍ଧରୁ ଆଣିଥିବା ସର୍ବୋତ୍କୃଷ୍ଟ ଦ୍ରବ୍ୟର ଦଶମାଂଶ ସୁଦ୍ଧା ଦେଇଥିଲେ। 5ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକପଦ ପ୍ରାପ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ଲୋକମାନଙ୍କଠାରୁ, ଅର୍ଥାତ୍, ସେମାନଙ୍କ ଭାଇମାନଙ୍କଠାରୁ ଦଶମାଂଶ ଗ୍ରହଣ କରିବାକୁ ଆଜ୍ଞା ପ୍ରାପ୍ତ ହୋଇଥାଆନ୍ତି ସେମାନେ ଅବ୍ରହାମଙ୍କ ଔରସଜାତ ହେଲେ ହେଁ ସେମାନଙ୍କଠାରୁ ଏହା ଗ୍ରହଣ କରନ୍ତି; 6କିନ୍ତୁ ମଲ୍କୀଷେଦକ, ଲେବୀୟ ବଂଶାବଳୀର ଅନ୍ତର୍ଗତ ନୁହଁନ୍ତି, ସେ ଅବ୍ରହାମଙ୍କଠାରୁ ଦଶମାଂଶ ଗ୍ରହଣ କରି ପ୍ରତିଜ୍ଞାର ଅଧିକାରୀଙ୍କୁ ଆଶୀର୍ବାଦ କରିଥିଲେ।
ପତ୍ର (ଶୁକ୍ରବାର ପାଇଁ)
18ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି; 19(କାରଣ ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା), ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ। 20ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ, 21ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, “ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ, ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି।’” 22ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି। 23ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ, 24କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ କରିଅଛନ୍ତି। 25ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ।
ସୁସମାଚାର
9ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ। 10ଆଉ କୃଷକମାନେ ଯେପରି ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ଦିଅନ୍ତି, ଏଥିନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ, କିନ୍ତୁ ସେହି କୃଷକମାନେ ତାହାକୁ ପ୍ରହାର କରି ଶୂନ୍ୟ ହସ୍ତରେ ଫେରାଇଦେଲେ। 11ସେ ପୁଣି, ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ପ୍ରହାର ଓ ଅପମାନ କରି ଶୂନ୍ୟ ହସ୍ତରେ ଫେରାଇଦେଲେ; 12ପରେ ସେ ତୃତୀୟ ଜଣକୁ ମଧ୍ୟ ପଠାଇଲେ; କିନ୍ତୁ ସେମାନେ ତାହାକୁ ସୁଦ୍ଧା କ୍ଷତବିକ୍ଷତ କରି ବାହାରେ ଫୋପାଡ଼ିଦେଲେ। 13ସେଥିରେ ଦ୍ରାକ୍ଷାକ୍ଷେତ୍ରର ମାଲିକ କହିଲେ, ମୁଁ କଅଣ କରିବି? ମୋହର ପ୍ରିୟ ପୁତ୍ରକୁ ପଠାଇବି, କେଜାଣି ସେମାନେ ତାହାକୁ ମାନ୍ୟ କରିବେ। 14ମାତ୍ର କୃଷକମାନେ ତାହାଙ୍କୁ ଦେଖି ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଏ ତ ଉତ୍ତରାଧିକାରୀ, ଏହାକୁ ବଧ କରିବା, ଯେପରି ଅଧିକାର ଆମ୍ଭମାନଙ୍କର ହେବ। 15ଆଉ ସେମାନେ ତାହାଙ୍କୁ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। ଅତଏବ ଦ୍ରାକ୍ଷାକ୍ଷେତ୍ରର ମାଲିକ ସେମାନଙ୍କ ପ୍ରତି କଅଣ କରିବେ? 16ସେ ଆସି ଏହି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। ଏହା ଶୁଣି ସେମାନେ କହିଲେ, ତାହା ନ ହେଉ।” 17କିନ୍ତୁ ସେ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତେବେ ଏହି ଯେଉଁ ବାକ୍ୟ ଲେଖାଅଛି, ତାହାର ଅର୍ଥ କଅଣ, ‘ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହେଲା?’ 18ଯେ କେହି ସେହି ପଥର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ସେହି ପଥର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୁର୍ଣ୍ଣବିଚୂର୍ଣ୍ଣ କରିବ।”
ସୁସମାଚାର (ଶୁକ୍ରବାର ପାଇଁ)
19ଏଥିରେ ଶାସ୍ତ୍ରୀ ଓ ପ୍ରଧାନ ଯାଜକମାନେ ସେହି ମୁହୂର୍ତ୍ତରେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କଲେ, କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ। 20ସେଥିରେ ସେମାନେ ଯୀଶୁଙ୍କୁ ରାଜ୍ୟପାଳଙ୍କ ହାତରେ ଓ ଶାସନକର୍ତ୍ତାଙ୍କ ଶାସନର ଅଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ଯୀଶୁଙ୍କ କଥାର ଭୁଲ୍ ଧରିବା ଉଦ୍ଦେଶ୍ୟରେ ଯେଉଁମାନେ କପଟରେ ନିଜ ନିଜକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ। 21ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ଠିକ୍ କଥା କହନ୍ତି ଓ ଶିକ୍ଷା ଦିଅନ୍ତି, ପୁଣି, କାହାରି ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ପଥ ବିଷୟରେ ଶିକ୍ଷା ଦିଅନ୍ତି। 22କାଇସରଙ୍କୁ କର ଦେବା ଆମ୍ଭମାନଙ୍କର ବିଧିସଙ୍ଗତ କି ନୁହେଁ? 23କିନ୍ତୁ ଯୀଶୁ ସେମାନଙ୍କ ଚତୁରତା ବୁଝି ସେମାନଙ୍କୁ କହିଲେ, “ମୋତେ ଗୋଟିଏ ମୁଦ୍ରା ଦେଖାଅ। 24ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି?” ସେମାନେ କହିଲେ, କାଇସରଙ୍କର। 25ସେଥିରେ ସେ ସେମାନଙ୍କୁ କହିଲେ, ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ; ପୁଣି, ଯାହା ଈଶ୍ବରଙ୍କର, ତାହା ଈଶ୍ବରଙ୍କୁ ଦିଅ। 26ଏଥିରେ ସେମାନେ ଲୋକମାନଙ୍କ ସାକ୍ଷାତରେ ତାହାଙ୍କ କଥାର ଭୁଲ୍ ଧରି ପାରିଲେ ନାହିଁ, ଆଉ ସେମାନେ ତାହାଙ୍କ ଉତ୍ତରରେ ଆଶ୍ଚର୍ଯ୍ୟ ହୋଇ ନୀରବ ରହିଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଡିସେମ୍ବର 4 ନାଗରିକ ପଞ୍ଜିକାର ଡିସେମ୍ବର 17। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର