ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 22
ଅର୍ଥୋଡକ୍ସ ପଞ୍ଜିକା · 9 ଅକ୍ଟୋବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 22 ଅକ୍ଟୋବର 2026
ଗୁରୁବାର · ପେଣ୍ଟିକଷ୍ଟ ପରେ 21ତମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Holy Apostle James the son of Alphæus (1st C)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
24ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି; 25ଈଶ୍ବର ମୋତେ ଯେଉଁ ଭଣ୍ଡାରଘରିଆ ପଦ ତୁମ୍ଭମାନଙ୍କ ନିମନ୍ତେ ଦେଇଅଛନ୍ତି, ତଦନୁସାରେ ମୁଁ ସେହି ମଣ୍ଡଳୀର ଜଣେ ସେବକ ହୋଇଅଛି, ଯେପରି ମୁଁ ଈଶ୍ବରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରଚାର କରେ। 26ସେହି ନିଗୂଢ଼ତତ୍ତ୍ୱ ପ୍ରାଚୀନକାଳ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। 27ଅଣଯିହୁଦୀମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ବର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ ସେହି ନିଗୂଢ଼ତତ୍ତ୍ୱ ଏହି, ତୁମ୍ଭମାନଙ୍କ ମଧ୍ୟରେ ଖ୍ରୀଷ୍ଟ, ସେ ଗୌରବର ଭରସା ସ୍ୱରୂପ; 28ତାହାଙ୍କୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି, ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ, ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ; 29ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କର ଯେଉଁ କାର୍ଯ୍ୟସାଧକ ଶକ୍ତି ମୋʼ ଠାରେ ସବଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି।
ସୁସମାଚାର
17ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା। 18ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ। 19ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 20ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? 21ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ। 22ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ; 23ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ। 24ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ? 25ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି। 26ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ। 27ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’ 28ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।” 29ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ; 30କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 9 ନାଗରିକ ପଞ୍ଜିକାର ଅକ୍ଟୋବର 22। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର