ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 15
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 15 ଅକ୍ଟୋବର 2026
ଗୁରୁବାର · ସାଧାରଣ କାଳର 28ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 28ତମ ସପ୍ତାହର ଗୁରୁବାର
ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା
ଯୀଶୁଙ୍କ ସନ୍ଥ ଟେରେସା, କୁମାରୀ ଓ ମଣ୍ଡଳୀର ଆଚାର୍ଯ୍ୟା · ସ୍ମୃତି ଦିବସ
ଦିନର ପାଠ
ପ୍ରଥମ ପାଠ
1ପାଉଲ, ଈଶ୍ବରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, ଏଫିସ ସହରରେ ଥିବା ସାଧୁ ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛି। 2ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। 3ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି, 4ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତ୍ତନ ପୂର୍ବେ ତାହାଙ୍କଠାରେ ଆମ୍ଭମାନଙ୍କୁ ମନୋନୀତ କଲେ; 5ପୁଣି, ଈଶ୍ବର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛାନୁସାରେ ଆମ୍ଭମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ; 6ଏହା ତାହାଙ୍କ ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ହୋଇଅଛି; ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। 7ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କଠାରେ ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଦ୍ୱାରା ମୁକ୍ତି, ଅର୍ଥାତ୍ ଅପରାଧ ସବୁର କ୍ଷମା ପ୍ରାପ୍ତ ହୋଇଅଛୁ। 8ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। 9ପୂର୍ବରୁ ସଙ୍କଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇଅଛନ୍ତି, 10ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।
ପ୍ରତିଉତ୍ତର ଗୀତ
1ଗୀତ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। 2ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି। 3ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି। 4ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; ଉଚ୍ଚଧ୍ୱନି କର, ଆନନ୍ଦଗାନ କର ଓ ପ୍ରଶଂସା ଗାନ କର। 5ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। 6ତୂରୀ ଓ ଭେରୀ ନାଦରେ ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର।
ସୁସମାଚାର
47ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ସେମାନଙ୍କୁ ବଧ କରିଥିଲେ। 48ଅତଏବ ତୁମ୍ଭମାନଙ୍କ ପିତୃ-ପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ। 49ତେଣୁ ଈଶ୍ବର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ, 50ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି, 51ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ। 52ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ।” 53ଆଉ, ସେ ସେଠାରୁ ବାହାରିଗଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି 54ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପକାଇ ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।
ଆଜିର ସନ୍ଥ
- ଯୀଶୁଙ୍କ ସନ୍ଥ ଟେରେସା, କୁମାରୀ ଓ ମଣ୍ଡଳୀର ଆଚାର୍ଯ୍ୟା
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର