Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 6

ଅର୍ଥୋଡକ୍ସ ପଞ୍ଜିକା · 23 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 6 ଅକ୍ଟୋବର 2026

ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 19ତମ ସପ୍ତାହ · ସ୍ୱର 1

ପର୍ବ ଓ ସନ୍ଥ

Conception by St Elizabeth of the Honorable Glorious Prophet, Forerunner and Baptizer of the Lord John

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଫିଲି 1:8–14

8କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ। 9ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ, 10ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ, 11ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ। 12ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ; 13ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା; 14ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।

ପତ୍ର (ଅଗ୍ରଦୂତଙ୍କ ପାଇଁ)

ଗାଲା 4:22–31

22କାରଣ ପବିତ୍ର ଶାସ୍ତ୍ରରେ ଲେଖାଅଛି, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ, ଜଣେ ଦାସୀଠାରୁ ଓ ଆଉ ଜଣେ ସ୍ୱାଧୀନା ସ୍ତ୍ରୀଠାରୁ ଜାତ। 23ଯେ ଦାସୀର ପୁତ୍ର, ସେ ଶାରୀରିକ ସ୍ୱଭାବାନୁସାରେ ଜାତ ହେଲା; ମାତ୍ର ଯେ ସ୍ୱାଧୀନା ସ୍ତ୍ରୀର ପୁତ୍ର, ସେ ପ୍ରତିଜ୍ଞା ବଳରେ ଜାତ ହେଲା। 24ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ। 25ହାଗାର, ଏହି ଶବ୍ଦ ଆରବ ଦେଶରେ ସୀନୟ ପର୍ବତକୁ ବୁଝାଏ, ପୁଣି, ତାହା ବର୍ତ୍ତମାନ ଯିରୂଶାଲମ ସହରର ସମତୁଲ୍ୟ, କାରଣ ଏ ଆପଣା ସନ୍ତାନମାନଙ୍କ ସହିତ ଦାସତ୍ୱରେ ରହିଅଛି। 26କିନ୍ତୁ ଊର୍ଦ୍ଧ୍ୱସ୍ଥ ଯିରୂଶାଲମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ; 27ଯେଣୁ ଲେଖାଅଛି, “ଆଗୋ ବନ୍ଧ୍ୟେ, ଅପ୍ରସୂତେ, ଆନନ୍ଦ କର, ଆଗୋ ପ୍ରସବବେଦନା ରହିତେ, ଉଚ୍ଚସ୍ୱରରେ ଜୟଧ୍ୱନି କର; କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ।” 28ହେ ଭାଇମାନେ, ତୁମ୍ଭେମାନେ ଇସ୍‌ହାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। 29କିନ୍ତୁ ଶାରୀରିକ ସ୍ୱଭାବାନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ, ତାହାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି। 30ମାତ୍ର ଶାସ୍ତ୍ର କଅଣ କୁହେ? ଦାସୀ ଓ ତାହାର ପୁତ୍ରକୁ ବାହାର କରିଦିଅ; କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ। 31ଅତଏବ, ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୋହୁଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ।

ସୁସମାଚାର

ଲୂକ 3:23–4:1

23ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର, 24ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର, 25ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର, 26ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର, 27ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର, 28ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର, 29ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, 30ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର, 31ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର, 32ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର, 33ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର, 34ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର, 35ନାହୋର ସରୁଗଙ୍କ ପୁତ୍ର, ସରୁଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର, 36ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର, 37ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର, 38କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର। 4:1ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ଫେରି ଆସିଲେ ଏବଂ ଚାଳିଶ ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ।

ସୁସମାଚାର (ଅଗ୍ରଦୂତଙ୍କ ପାଇଁ)

ଲୂକ 1:5–25

5ଯିହୂଦିୟା ପ୍ରଦେଶର ରାଜା ହେରୋଦଙ୍କ ସମୟରେ ଅବିୟଙ୍କ ଦଳର ଜିଖରୀୟ ନାମରେ ଜଣେ ଯାଜକ ଥିଲେ; ତାହାଙ୍କ ଭାର୍ଯ୍ୟା ହାରୋଣ ବଂଶର କନ୍ୟା, ତାହାଙ୍କର ନାମ ଏଲୀଶାବେଥ। 6ସେମାନେ ଉଭୟେ ପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ନିୟମ ଅନୁସାରେ ନିର୍ଦ୍ଦୋଷ ରୂପେ ଆଚରଣ କରି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ। 7କିନ୍ତୁ ସେମାନଙ୍କର ସନ୍ତାନ ନ ଥିଲା, କାରଣ ଏଲୀଶାବେଥ ବନ୍ଧ୍ୟା ଥିଲେ, ପୁଣି, ଉଭୟଙ୍କ ବୟସ ଅଧିକ ହୋଇଯାଇଥିଲା। 8ସେ ଆପଣା ଦଳର ପାଳି ଅନୁସାରେ ଈଶ୍ବରଙ୍କ ନିକଟରେ ଯାଜକ କାର୍ଯ୍ୟ କରୁଥିବା ସମୟରେ, 9ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, 10ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ। 11ସେତେବେଳେ ପ୍ରଭୁଙ୍କର ଜଣେ ଦୂତ ଧୂପବେଦିର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇ ତାହାଙ୍କୁ ଦର୍ଶନ ଦେଲେ। 12ଜିଖରୀୟ ତାହାଙ୍କୁ ଦେଖି ବିଚଳିତ ଓ ଭୟଗ୍ରସ୍ତ ହେଲେ। 13କିନ୍ତୁ ଦୂତ ତାହାଙ୍କୁ କହିଲେ, ଜିଖରୀୟ, ଭୟ କର ନାହିଁ, କାରଣ ତୁମ୍ଭର ନିବେଦନ ଶୁଣାଯାଇଅଛି, ଆଉ ତୁମ୍ଭର ଭାର୍ଯ୍ୟା ଏଲୀଶାବେଥ ତୁମ୍ଭ ନିମନ୍ତେ ଗୋଟିଏ ପୁତ୍ର ପ୍ରସବ କରିବେ, ପୁଣି, ତୁମ୍ଭେ ତାହାର ନାମ ଯୋହନ ଦେବ। 14ସେ ତୁମ୍ଭର ଆନନ୍ଦ ଓ ଉଲ୍ଲାସର କାରଣ ହେବ, ପୁଣି, ଅନେକେ ତାହାର ଜନ୍ମରେ ଆନନ୍ଦ କରିବେ। 15ଯେଣୁ ସେ ପ୍ରଭୁଙ୍କ ଛାମୁରେ ମହାନ ହେବ; ସେ ଦ୍ରାକ୍ଷାରସ କି ମଦ୍ୟ କେବେ ହେଁ ପାନ କରିବ ନାହିଁ, ପୁଣି, ମାତାର ଉଦରରୁ ହିଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବ, 16ଆଉ ସେ, ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରଭୁ ସେମାନଙ୍କ ଈଶ୍ବରଙ୍କ ପ୍ରତି ଫେରାଇବ। 17ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ। 18ଏଥିରେ ଜିଖରୀୟ ଦୂତଙ୍କୁ କହିଲେ, ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି? କାରଣ ମୁଁ ତ ବୃଦ୍ଧ, ପୁଣି, ମୋହର ଭାର୍ଯ୍ୟାଙ୍କ ବୟସ ଅଧିକ ହେଲାଣି। 19ଦୂତ ତାହାଙ୍କୁ ଉତ୍ତର ଦେଲେ, ମୁଁ ଗାବ୍ରିଏଲ, ମୁଁ ଈଶ୍ବରଙ୍କ ଉପସ୍ଥିତିରେ ଠିଆ ହୁଏ, ଆଉ ତୁମ୍ଭକୁ କହିବାକୁ ଓ ଏହି ସୁସମାଚାର ଜଣାଇବାକୁ ମୁଁ ପଠାଯାଇଅଛି। 20ଦେଖ, ଏହି ସମସ୍ତ ନ ଘଟିବା ଦିନ ପର୍ଯ୍ୟନ୍ତ ତୁମ୍ଭେ ନୀରବ ରହି କଥା କହି ପାରିବ ନାହିଁ, କାରଣ ମୋହର ଯେଉଁ ସବୁ ବାକ୍ୟ ଯଥା ସମୟରେ ସଫଳ ହେବ, ସେହିସବୁ ତୁମ୍ଭେ ବିଶ୍ୱାସ କଲ ନାହିଁ। 21ଇତିମଧ୍ୟରେ ଲୋକମାନେ ଜିଖରୀୟଙ୍କ ଅପେକ୍ଷାରେ ଥିଲେ, ଆଉ ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ। 22କିନ୍ତୁ ସେ ବାହାରି ଆସି ସେମାନଙ୍କୁ କଥା କହି ପାରିଲେ ନାହିଁ; ଏଥିରେ ସେ ମନ୍ଦିରରେ ଦର୍ଶନ ପାଇଅଛନ୍ତି ବୋଲି ସେମାନେ ବୁଝିଲେ, ଆଉ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଓ ମୂକ ହୋଇ ରହିଲେ। 23ପରେ ତାହାଙ୍କ ସେବାପାଳିର ଦିନସବୁ ଶେଷ ହୁଅନ୍ତେ, ସେ ଆପଣା ଘରକୁ ଗଲେ। 24ଏଥିଉତ୍ତାରେ ତାହାଙ୍କ ଭାର୍ଯ୍ୟା ଏଲୀଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ, 25ଲୋକମାନଙ୍କ ମଧ୍ୟରେ ମୋହର ଅପମାନ ଦୂର କରିବା ନିମନ୍ତେ ପ୍ରଭୁ କୃପାଦୃଷ୍ଟି କରି ମୋʼ ପ୍ରତି ଏପରି କରିଅଛନ୍ତି।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 23 ନାଗରିକ ପଞ୍ଜିକାର ଅକ୍ଟୋବର 6। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର