Bible Explorer ଆପ୍ ପାଆନ୍ତୁ

ଅନୁସନ୍ଧାନ › ପାଖାପାଖି ସୁସମାଚାର › ଗାଲିଲୀରେ

ପାଖାପାଖି ସୁସମାଚାର · ଗାଲିଲୀରେ

ଉପବାସ ବିଷୟରେ ପ୍ରଶ୍ନ

ମାଥି 9:14–17 · ମାର୍କ 2:18–22 · ଲୂକ 5:33–39

ମାଥିଉ

ମାଥି 9:14–17

14ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?

15ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।

16କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।

17ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ।”

ମାର୍କ

ମାର୍କ 2:18–22

18ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?

19ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରିପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ ଉପବାସ କରିପାରନ୍ତି ନାହିଁ।

20କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ।

21କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶି ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ଚିରା ହୁଏ।

22ଆଉ କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି, ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।”

ଲୂକ

ଲୂକ 5:33–39

33ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି।

34ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇପାର?

35କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ।”

36ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, “କେହି ନୂଆ ଲୁଗାରୁ ତାଳି ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।

37ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ପଡ଼ିଯିବ, ଆଉ କୁମ୍ପା ନଷ୍ଟ ହେବ।

38କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।

39ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ‘ପୁରୁଣା ତ ଭଲ।’”

ଚିହ୍ନିତ: ଆପଣ ପଢ଼ୁଥିବା ଅନୁବାଦରେ ପ୍ରତ୍ୟେକ ବିବରଣରେ ଥିବା ଶବ୍ଦ। ସବୁଠାରୁ ବାରମ୍ବାର ଶବ୍ଦ (“ଓ”, “ସେ”) ଚିହ୍ନିତ ହୁଏ ନାହିଁ; ଅନ୍ୟ ରୂପରେ ଥିବା ଶବ୍ଦ ଚିହ୍ନିତ ନ ହୋଇପାରେ।

ଉତ୍ସ: OpenBible.info, CC BY 4.0 · ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର