Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 31

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 31 ଡିସେମ୍ବର 2027

ଶୁକ୍ରବାର · ବଡ଼ଦିନ କାଳ

ପର୍ବ ଓ ସନ୍ଥ

31 ଡିସେମ୍ବର — ବଡ଼ଦିନ ଅଷ୍ଟାହର ସପ୍ତମ ଦିନ

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ସିଲଭେଷ୍ଟର୍ ପ୍ରଥମ, ପୋପ୍ · ସ୍ମରଣ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ପ୍ର. ଯୋହ 2:18–21

18ହେ ବତ୍ସଗଣ, ଶେଷକାଳ ଉପସ୍ଥିତ, ପୁଣି, ଭଣ୍ଡଖ୍ରୀଷ୍ଟ ଆସିବ ବୋଲି ତୁମ୍ଭେମାନେ ଯେପରି ଶୁଣିଥିଲ, ସେହିପରି ଏବେ ମଧ୍ୟ ଅନେକ ଭଣ୍ଡଖ୍ରୀଷ୍ଟ ଉଠିଲେଣି; ଏତଦ୍ଵାରା ଆମ୍ଭେମାନେ ଜାଣୁଅଛୁ ଯେ, ଶେଷକାଳ ଉପସ୍ଥିତ। 19ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ। 20ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମ୍ଭେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ। 21ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ ମୁଁ ଯେ ତୁମ୍ଭମାନଙ୍କ ନିକଟକୁ ଲେଖିଲି, ତାହା ନୁହେଁ, ମାତ୍ର ତୁମ୍ଭେମାନେ ସତ୍ୟ ଜାଣିଥିବାରୁ ଓ କୌଣସି ମିଥ୍ୟା ସତ୍ୟରୁ ଜାତ ହୁଏ ନାହିଁ ବୋଲି ଜାଣିଥିବାରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି।

ପ୍ରତିଉତ୍ତର ଗୀତ

ଗୀତ 96:1–2, 11–13

1ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର। 2ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର; ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର। 11ଆକାଶମଣ୍ଡଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କର; ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; 12କ୍ଷେତ୍ର ଓ ତନ୍ମଧ୍ୟସ୍ଥସକଳ ଜୟଧ୍ୱନି କରନ୍ତୁ; ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ; 13ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି; ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଓ ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ।

ସୁସମାଚାର

ଯୋହ 1:1–18

1ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ। 2ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ। 3ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। 4ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ। 5ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ। 6ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ। 7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 9ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 10ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। 11ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। 12ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; 13ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ। 14ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। 15ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି। 16ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ। 17କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା। 18କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର