Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 2

ଅର୍ଥୋଡକ୍ସ ପଞ୍ଜିକା · 19 ସେପ୍ଟେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 2 ଅକ୍ଟୋବର 2026

ଶୁକ୍ରବାର · ପେଣ୍ଟିକଷ୍ଟ ପରେ 18ତମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

Afterfeast of the Exaltation of the Cross

ଉପବାସ ଦିନ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ଏଫି 6:18–24

18ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର। 19ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଜଞ୍ଜିରରେ ବନ୍ଧାହୋଇଥିବା ରାଜଦୂତ ସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ବାକ୍ୟ ଦିଆଯିବ, 20ପୁଣି, ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। 21ମୋହର ବିଷୟ, ଅର୍ଥାତ୍‍ ମୁଁ କିପରି ଅଛି, ଏହା ତୁମ୍ଭେମାନେ ଜାଣି ପାର, ସେଥିନିମନ୍ତେ ପ୍ରିୟ ଭ୍ରାତା ଓ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଯେ ତୁଖିକ, ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ; 22ଏହି ଉଦ୍ଦେଶ୍ୟରେ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ପାର ଓ ତୁମ୍ଭମାନଙ୍କ ହୃଦୟ ତାହାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ। 23ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଭାଇମାନଙ୍କ ପ୍ରତି ଶାନ୍ତି ଓ ବିଶ୍ୱାସ ସହିତ ପ୍ରେମ ବର୍ତ୍ତୁ। 24ଯେତେ ଲୋକ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚିରନ୍ତନ ପ୍ରେମରେ ପ୍ରେମ କରନ୍ତି, ଅନୁଗ୍ରହ ସେମାନଙ୍କ ସହବର୍ତ୍ତୀ ହେଉ।

ସୁସମାଚାର

ମାଥି 24:27–33, 42–51

27କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ। 28ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।” 29“ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍‍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’ 30ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। 31ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।” 32“ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; 33ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ। 42ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ। 43କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ। 44ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।” 45“ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? 46ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। 47ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। 48କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି 49ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, 50ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, 51ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 19 ନାଗରିକ ପଞ୍ଜିକାର ଅକ୍ଟୋବର 2। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର