Bible Explorer ଆପ୍ ପାଆନ୍ତୁ

ବାଇବେଲ › ଗଣନା ପୁସ୍ତକ › 36

IRV · ଅଧ୍ୟାୟ 36 / 36

ଗଣନା ପୁସ୍ତକ 36

1ଏଥିଉତ୍ତାରେ ଯୋଷେଫ-ସନ୍ତାନଗଣଙ୍କର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି, ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ୱରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ;

2ଆଉ ସେମାନେ କହିଲେ, “ସଦାପ୍ରଭୁ ଗୁଲିବାଣ୍ଟ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।

3ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯଦି ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି, ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ।

4ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣଙ୍କର ଯୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାରଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ।”

5ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଇସ୍ରାଏଲକୁ ଆଜ୍ଞା ଦେଇ କହିଲେ, “ଯୋଷେଫ-ସନ୍ତାନଗଣଙ୍କର ବଂଶ ଯଥାର୍ଥ କହୁଅଛନ୍ତି।

6ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ‘ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ।’

7ତାହା କଲେ ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ।

8ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣଙ୍କର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ।

9ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।”

10ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ।

11ଅର୍ଥାତ୍‍, ମହଲା, ତିର୍ସା, ହଗ୍ଲା, ମିଲ୍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ।

12ଯୋଷେଫଙ୍କର ପୁତ୍ର ମନଃଶି ସନ୍ତାନଗଣଙ୍କର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା।

13ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ (IRV, 2019) · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. (ପାଠ ଅପରିବର୍ତ୍ତିତ; ପାଦଟୀକା ଓ ଶୀର୍ଷକ ବାଦ ଦିଆଯାଇଛି) · eBible.org